ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହାସହ ଶ୍ରୀ ପ୍ରଧାନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୁଳ ଜିଲ୍ଲା ତାଳଚେର ଗସ୍ତ କରିବେ । ଏମ୍‌ସିଏଲ୍‌ର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେବେ ।
ପରବର୍ତ୍ତୀ ପର୍ୟ୍ୟାୟରେ ଶ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧାରୋଡ଼୍‌ ଷ୍ଟେସନଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ୟ୍ୟକ୍ରମରେ ସାମିଲ ହେବେ । ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍‌ ଷ୍ଟେସନର ନୂତନ ବିଲ୍‌ଡିଂର ଲୋକାର୍ପଣ କରିବା ସହ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲ୍‌ଏଚ୍‌ବି ରେକ୍‌ ଓ ଭୁବନେଶ୍ୱର-ଆନନ୍ଦବିହାର ଦୂରାନ୍ତ ଏକ୍ସପ୍ରେସ୍‌ର ଉଦ୍‌ଘାଟନ କରିବେ । ଏହାବ୍ୟତୀତ ସେହି ସ୍ଥାନରୁ ରହି ଉଭୟ ମନ୍ତ୍ରୀ ପଟିଆ ଓ ବାଣୀବିହାର ପିଏଚ୍‌ର ନୂଆ ବିଲ୍ଡିଂକୁ ଭିଡ଼ିଓ କନଫରେନ୍ସରେ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ରହିଛି ।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ହ୍ରାସ ପାଇଁ ଜନସଚେତନତା ଅଭିଯାନରେ ସାମିଲ ହେବେ । ପୁରୀ ଶରଧାବାଲିଠାରେ ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମୋଦି ସରକାରଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନକୁ ଉଦଘାଟନ କରିବେ।

ଏହାସହ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚ୍‌ଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ । ବଡ଼ଶଙ୍ଖ ଶରଧା ମଣ୍ଡପଠାରେ ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘର ପ୍ରସାଦ ବିତରଣ କାର୍ୟ୍ୟକ୍ରମରେ ସାମିଲ ପରେ ଶ୍ରୀ ପ୍ରଧାନ ରଥଯାତ୍ରାରେ ଯୋଡ଼ି ହେବାର କାର୍ୟ୍ୟକ୍ରମ ରହିଛି ।

Comments are closed.