ଭୟଙ୍କର ଦୁର୍ଘଟଣା
ବ୍ରହ୍ମପୁର : ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଦିନକୁ ଦିନ ଦୁର୍ଘଟଣା ମାମଲା ବୃଦ୍ଧି ହେବାରେ ଲାଗୁଛି। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ସପ୍ତାହ ମଧ୍ୟରେ ସହରରେ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ସ୍ଥାନୀୟ ଅନନ୍ତନଗରର ଗୁରୁଦତ୍ତ ପଣ୍ଡା(୩୨)। ସେହିପରି ଗୁରୁତର ଆହତ ବୃଦ୍ଧ ଗୌତମନଗରର ଭ୍ରମରବର ସାହୁ(୬୭) ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ପୋଲିସ ଦୁଇଟି ମାମଲା(୨୪/୨୨ ଏବଂ ୨୫/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଗତ ୧୬ ତାରିଖରେ କମାପଲି ଭେଣ୍ଡିଂଜୋନ ନିକଟରେ ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିବା ଗୁରୁଦତ୍ତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରବିବାର ମୃତ୍ୟୁ ଘଟିଛି। ପରିବାର ଲୋକ ଏନେଇ ଟ୍ରାଫିକ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗୌତମନଗରରେ ରହୁଥିବା ଭ୍ରମରବର ସାହୁ ରବିବାର ସନ୍ଧ୍ୟାରେ କୌଣସି କାମରେ ରେଡ୍ଡୀ ଗେରେଜ ଛକ ରାସ୍ତାଦେଇ ଯାଉଥିବା ବେଳେ ତାଙ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।
Comments are closed.