ବୁଢାଙ୍ଗରା ଘୋଷଯାତ୍ରା ପ୍ରସ୍ତୁତି
ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ବ୍ଲକ ନିକଟସ୍ଥ ସଙ୍ଗମ ଶ୍ରୀକ୍ଷେତ୍ର ବୁଢାଙ୍ଗରା ଘୋଷଯାତ୍ରା ଲାଗି ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜିଉଙ୍କ ଘୋଷଯାତ୍ରା ତିଥୀରେ ଏହି ସଙ୍ଗମ ଶ୍ରୀକ୍ଷେତ୍ର ରଥଯାତ୍ରା ଆୟୋଜିତ ହେବ ବୋଲି ଆୟୋଜକ ସମାଜସେବୀ ଅକ୍ଷୟ ପରିଡା ଓ ମହାବୀର ସତସଙ୍ଗ କମିଟି ପକ୍ଷରୁ କୁହାଯାଇଛି । ୨୦୧୫ ମସିହା ଶ୍ରୀଜିଉଙ୍କ ନବକଳେବରଠାରୁ ଆରମ୍ଭ ହୋଇଥିବା ଏହି ଘୋଷଯାତ୍ରା ଚଳିତବର୍ଷ ଧୂମଧାମରେ ପାଳିତ ହେବ । ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଉକ୍ତ ଘୋଷଯାତ୍ରା ଆୟୋଜିତ ସ୍ଥଳଟି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମିଳିତ ସଙ୍ଗମ ସ୍ଥଳରେ ରହିଥିବା ବେଳେ ଜଟଣୀ,ଡେଲାଙ୍ଗ ଓ କଣାସ ବ୍ଲକର ସଙ୍ଗମ ସ୍ଥଳରେ ମଧ୍ୟ ଅବସ୍ଥାପିତ ହୋଇଛି । ସେହିଭଳି ଦୟା ଓ ରାଜୁଆ ନଦୀର ସଙ୍ଗମସ୍ଥଳରେ ଏହି ସଙ୍ଗମ ଶ୍ରୀକ୍ଷେତ୍ର ବୁଢାଙ୍ଗରା ଗ୍ରାମଟି ରହିଥିବାରୁ ସ୍ଥାନୀୟ ଅଂଚଳବାସୀ ଏହାକୁ ଶ୍ରୀକ୍ଷେତ୍ର ସଙ୍ଗମ ନାମରେ ନାମିତ କରିଥିବା କହିଛନ୍ତି । ବୁଢାଙ୍ଗରା ପୁରୁଣା ମହାବୀର ମନ୍ଦିର ଜଗନ୍ନାଥ ଧାମ ହୋଇଥିବା ବେଳେ ଜଗତେଶ୍ୱର ମନ୍ଦିର ଶ୍ରୀଗୁଣ୍ଡିଚା ମନ୍ଦିରଭାବେ ପରିଚିତ କରାଯାଇଛି । ମହାମାରୀ କରୋନା ଯୋଗୁଁ ଗତ ୨ବର୍ଷଧରି ଏହି ଯାତ୍ରା କେବଳ ରିତିନୁଯାୟୀ ପାଳନ କରାଯାଉଥିଲା । ଚଳିତବର୍ଷ ଧୂମଧାମରେ ପାଳନ କରାଯିବା ଲାଗି ପ୍ରସ୍ତୁତି ସରିଛି । ଏହି ଅବସରରେ ଶ୍ରୀକ୍ଷେତ୍ର ସଙ୍ଗମ ବୁଢାଙ୍ଗରାରେ ୭ଦିନ ବ୍ୟାପି ଶ୍ରୀମଦ ଭାଗବତ ସପ୍ତାହ ପାଳନ କରାଯିବା ସହିତ ୯ଦିନ ବ୍ୟାପି ଏହି ଘୋଷଯାତ୍ରାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥି ସହିତ ପ୍ରତିଦିନ ପାଲା,ଭଜନ ସମାରୋହ,ରାମଲିଳା ଓ ବିଭିନ୍ନ ପଟୁଆର ତଥା ସଲଟଣ ପ୍ରଭୃତିର ଆୟୋଜନ ହେବ ବୋଲି କୁହାଯାଇଛି । ଘୋଷ ଯାତ୍ରାର ପହଣ୍ଡି ବିଜେ ସମୟରେ ସମାଜସେବୀ ଅକ୍ଷୟ ପରିଡା ଗଜପତି ଭାବେ ଛେରା ପହଁରା କରିବେ । ଏହି ସଙ୍ଗମ ଶ୍ରୀକ୍ଷେତ୍ର ରଥଯାତ୍ରା ଚଳିତ ୨୯ ତାରିଖରେ ଠାକୁରଙ୍କ ନବଯୈାବନ ଦର୍ଶନ, ୧ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା, ୫ ତାରିଖରେ ହେରା ପଚଂମୀ,୬ ତାରିଖରେ ରଥ ଦକ୍ଷୀଣ ମୋଡ, ୯ ତାରିଖରେ ବାହୁଡାଯାତ୍ରା,୧୦ ତାରିଖରେ ସୁନା ବେଶ ଓ ୧୧ରେ ନୀଳାଦ୍ରୀ ବିଜେ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ ହେବ । ଚଳିତ ବର୍ଷ ଜଟଣୀ,ପିପିଲି ଓ ସତ୍ୟବାଦୀ ବିଧାୟକ ଅତିଥୀଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜଟଣୀର ପୁର୍ବତନ ବିଧାୟକ ତଥା ବିଜେଡି ଜିଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଯୋଗଦେବେ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଏହି ଘୋଷଯାତ୍ରାର ସମସ୍ତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା କମିଟି ପକ୍ଷରୁ ସୂଚନା ମିଳିଛି ।
Comments are closed.