ଶ୍ରୀମନ୍ଦିର ପାଇଁ ୨୦୨ କୋଟି ବଜେଟ୍

ପୁରୀ: ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଆଗାମୀ ପରିଚାଳନା କମିଟିରେ ବଜେଟ ଅନୁମୋଦିତ ହେବ । ୨୦୨୧-୨୨ ବର୍ଷ ଲାଗି ୨୦୨ କୋଟିର ବଜେଟ୍ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି । ବଜେଟରେ ରଥଯାତ୍ରା ପାଇଁ୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟ ବରାଦ ହୋଇଛି । ସେବାୟତ ସହାୟତା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ଶ୍ରୀମନ୍ଦିର ଆୟ ବୃଦ୍ଧି କରା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ୨ଟି ଧର୍ମଶାଳା କାମ ଶେଷ ହୋଇଛି । ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା ହେବ । ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ । ୨୦୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ହଜାରେ କୋଟି କରିବାକୁ ଉଦ୍ୟମ କରାଉଛି । ବଡଦାଣ୍ଡ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ କଡା ପଦକ୍ଷେପ ମଧ୍ୟ ନିଆଯିବ । ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ । ବ୍ୟାଙ୍କ ସୁଧରୁ ବେଶୀ ପଇସା ଆସୁନଥିବାରୁ ଅନ୍ୟ ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ଛଡା ବିଭିନ୍ନ ପ୍ରମୁଖ ସ୍ଥାନରେ ହୁଣ୍ଡି ସ୍ଥାପନ କରାଯିବ । ଏୟାରପୋର୍ଟ, ରେଳ ଷ୍ଟେସନରେ ଶ୍ରୀମନ୍ଦିର ହୁଣ୍ଡି ରହିବ । ଚଳିତ ଆର୍ଥିକ ବର୍ଷରେ ପଥର କ୍ୱାରୀରୁ ୧୦ କୋଟି ଆୟ କରିବା ପାଇଁ ଯୋଜନା ରହିଛି । ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ ୬୫୦ କୋଟିରୁ ଅଧିକ ରହିଛି । ଆସନ୍ତାବର୍ଷ ସୁଦ୍ଧା ପାଣ୍ଠି ସଂଖ୍ୟା ୭୫୦ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୩ ରଥ ପୂର୍ବରୁ ଶ୍ରୀମନ୍ଦିର ପାଣ୍ଠି ୧ ହଜାର କୋଟି କରିବା ପାଇଁ ଟାର୍ଗେଟ ରହିଛି ।’

Comments are closed.