କଟକର ଘରୋଇ କଲେଜରୁ ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

କଟକ: କଟକ ଲିଙ୍କରୋଡ୍‌ର ଏକ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖିଛି କଟକ ମହାନଗର ନିଗମ। ଏହି ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହୁଛନ୍ତି ୭୦ରୁ ଅଧିକ ଛାତ୍ରଛାତ୍ରୀ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇଥିବା CMC ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଲେଜ ଓ ହଷ୍ଟେଲ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଟେଷ୍ଟ ନ ସରିବା ଯାଏ କେହି ବାହାରକୁ ଯାଇ ପାରିବେନି । ଆଜି କଲେଜରୁ ୩୦ରୁ ୪୦ ପିଲାଙ୍କର ନମୂନା ସଂଗ୍ରହ କରାଯିବ । ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ଜଗତସିଂହପୁରର ଜଣେ ଛାତ୍ରୀଙ୍କ ଲକ୍ଷଣ ପ୍ରକାଶ ପାଇବାରୁ ସମସ୍ତ ଛାତ୍ରଛାତ୍ରୀଙ୍କର ହୋଇଥିଲା ଟେଷ୍ଟ । ଫଳରେ ସେହି ଘରୋଇ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ସିଏମସି ପକ୍ଷରୁ ହଷ୍ଟେଲରେ ରହୁଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଜଗତସିଂହପୁରର ଜଣେ ଛାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ତା’ପରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା । କିଛିଦିନ ପୂର୍ବରୁ ବ୍ରହ୍ମପୁରର ଟାଟା ପାୱାର ଦକ୍ଷିଣ ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହ କାର୍ଯ୍ୟାଳୟକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା ।

ଅନ୍ୟପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯ ଓ ସ୍ଥାନୀୟ ଅଞ୍ଚଳରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୮୯ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୫୭ ରହିଥିବା ବେଳେ ୬୬୧ ଜଣ ଚିକିତ୍ସିତ ହେଉଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଲେଖାଏଁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.