ମେଣ୍ଟରେ ଫାଟ, ଚିନ୍ତାରେ କଂଗ୍ରେସ

ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆରେ ଫାଟ। ମୌସୁମୀ ଅଧିବେଶ ବେଳେ ଓ ଏହା ପୂର୍ବରୁ ପରସ୍ପରକୁ ସମର୍ଥନ କରୁଥିବା ଆପ ଏବଂ କଂଗ୍ରେସ ମଧ୍ୟରେ ଏବେ ତିକ୍ତତା ଆରମ୍ଭ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଆସନ୍ତା ୩୧ରେ ବସିଥିବାରୁ ଥିବା ଇଣ୍ଡିଆର ତୃତୀୟ ବୈଠକରେ ଆପ୍‌ ଯୋଗଦେବାର ଆଉ ଆବଶ୍ୟକତା ନଥିବା ମଧ୍ୟ କହିବାକୁ ପଛାଇ ନାହିଁ।

ପ୍ରଥମେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଥିଲେ ଯେ ଦଳ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିବ। କଂଗ୍ରେସ ଏକତରଫା ଭାବେ ଏକାକୀ ସମସ୍ତ ୭ ଆସନରେ ଲଢ଼ିବାକୁ ବୟାନ ଦେଇଥିବାରୁ ଏହାକୁ ଆପ୍‌ ସହଜରେ ଗ୍ରହଣ କରିପାରି ନାହିଁ। କଂଗ୍ରେସ ମେଣ୍ଟ କରିବା ମୁଡରେ ନଥିବାରୁ ଆଉ ବିରୋଧୀ ମେଣ୍ଟ ଇଣ୍ଡିଆରେ ଯୋଗଦେବାର ମୂଲ୍ୟ ନଥିବା ଆପ୍‌ କହିଛି।

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଦିଲ୍ଲୀ ୟୁନିଟ ପକ୍ଷରୁ ଆଜି ଗୋଟିଏ ବୈଠକ ବସିଥିଲା। ଦଳର ବରିଷ୍ଠ ନେତାମାନଙ୍କ ସହ ଦିଲ୍ଲୀ ୟୁନିଟର ନେତାମାନେ ନିଜର ପ୍ରସ୍ତୁତି ସମ୍ପର୍କରେ କଥା ହୋଇଥିଲେ। ଏହାପରେ ଅଳକା ଲାମ୍ବା କହିଛନ୍ତି ଯେ “ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ ଓ ଦୀପକ ବାବାରିଆ ଉପସ୍ଥିତ ଥିଲେ।

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ବୈଠକରେ ଏହା ନିଷ୍ପତ୍ତି ହୋଇଛି ଯେ ଆମକୁ ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ନିର୍ବାଚନକୁ ଆଉ ୭ ମାସ ବାକି ଅଛି। ତେଣୁ ଦଳର ସବୁ କର୍ମକର୍ତ୍ତାଙ୍କୁ ଦିଲ୍ଲୀର ୭ଟି ଯାକ ଆସନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।”

Comments are closed.