ଯୋଗୀଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତି ରାଜ୍ୟ ସରକାରଙ୍କ ଟୋଲ୍ ଫ୍ରି ନମ୍ବର ୧୧୨କୁ (ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଜରୁରୀକାଳୀନ ସେବା ପାଇଁ ଜାରି ହୋଇଥିବା ନମ୍ବର) କଲ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ରହିଛି। କଲ୍‌ କରି ହତ୍ୟା ଧମକ ଦେଇଥିବା ବ୍ୟକ୍ତି ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଧମକ ଦେଇଥିବା ବ୍ୟକ୍ତିର ନାମ ରିହାନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କଲ୍‌ ବ୍ୟତୀତ କଲ୍‌ର ଜଣକ ୟୁପି ପୁଲିସ୍‌ର ସୋସିଆଲ୍‌ ମିଡିଆ ଡେସ୍କକୁ ଏକ ମେସେଜ୍‌ ବି ପଠାଇଥିଲା।ଏହି ମେସେଜରେ – ‘ଯୋଗୀ ସିଏମକୋ ମାର ଦୁଙ୍ଗା ଜଲ୍ଦ ହି’- ବୋଲି ଲେଖାଯାଇଛି। ତେବେ ରିହାନର ସୋସିଆଲ୍‌ ମିିଡିଆ ଡିପିରେ ଆଲ୍ଲା ଲେଖାଥିବା ଦେଖିବାକୁ ମିଳିଛି।

ଏହି ଘଟଣା ପରେ ଧମକକାରୀ ବିରୋଧରେ ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୫୦୬,୫୦୭ ଏବଂ ଆଇଟି ଆକ୍ଟ ୬୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ପୁଲିସ କହିଛି। ପୁଲିସ୍ ଆହୁରି ବି କହିଛି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଆଶଙ୍କା ସୃଷ୍ଟି ହେବା ପରେ ସୁଶାନ୍ତ ଗଲ୍ଫ ସିଟି ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି।

ଚଳିତମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଗଣମାଧ୍ୟମ ସଂସ୍ଥା ଜରିଆରେ ହତ୍ୟା ଧମକ ମିିଳିଥିଲା। ଏହି ଧମକ ମିଳିବା ପରେ ନୋଏଡ଼ା ପୁଲିସ୍‌ ଜଣେ ୧୬ ବର୍ଷୀୟ ସ୍କୁଲ୍‌ ଛାତ୍ରଙ୍କୁ ଗିରଫ କରିଥିଲା।

ବିହାର ବାସିନ୍ଦା ଏହି ଛାତ୍ର ଜଣଙ୍କୁ ଚିନ୍‌ହାତ୍‌ ଅଞ୍ଚଳରୁ ଗିରଫ କରାଯାଇ ନୋଏଡାକୁ ଅଣାଯାଇଥିଲା ବୋଲି ସହକାରୀ ପୁଲିସ କମିସନର (ନୋଏଡା) ରଜନୀଶ ବର୍ମା କହିଥିଲେ। ପରେ ବାଳକ ଛାତ୍ର ଜଣଙ୍କୁ ନୋଏଡାର ଏକ ଜୁଭେନିଲ୍‌ କୋର୍ଟରେ ହାଜର କରାଯାଇଥିଲା। ଏବେ ତାଙ୍କୁ ଜାମିନ ପ୍ରଦାନ କରାଯାଇସାରିଛି ବୋଲି ପିଟିଆଇ ରିପୋର୍ଟ କରିଛି।

Comments are closed.