ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେଲେ ସି ଜିନପିଙ୍ଗ

0

ନୂଆଦିଲ୍ଲୀ :ସି ଜିନପିଙ୍ଗ ମୁଣ୍ଡରେ ପୁଣି ଥରେ ହାତୀ ଢ଼ାଳିଲା ସୁନା କଳସ । ତୃତୀୟ ଥର ପାଇଁ ଚୀନ୍‌ର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଛନ୍ତି ସି ଜିନପିଙ୍ଗ । ଆଜିଠୁ ନିଜ ଶାସନର ତୃତୀୟ ପାଳି ଆରମ୍ଭ କରିଛନ୍ତି ସି ଜିନପିଙ୍ଗ ।

ଗତ ବର୍ଷ ଅକ୍ଟୋବରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ମୁଖ୍ୟ ଭାବରେ ସି ଜିନପିଙ୍ଗଙ୍କ ଆଉ ପାଞ୍ଚ ବର୍ଷ କାର୍ଯ୍ୟକାଳ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଚୀନ୍‌ର ରବର ଷ୍ଟାମ୍ପ କୁହାଯାଉଥିବା ସଂସଦ ତାଙ୍କୁ ରାଷ୍ଟ୍ରପତି ଭାବରେ ନିଯୁକ୍ତି କରିଛି। ଏଥିସହ ସେ ଦେଶର କେନ୍ଦ୍ରୀୟ ସାମରିକ ଆୟୋଗର ମୁଖ୍ୟ ଭାବରେ ମଧ୍ୟ ପୁନଃ ନିର୍ବାଚିତ ହୋଇଛନ୍ତି ।

ଗତ ଅକ୍ଟୋବରରେ ଶୂନ-କୋଭିଡ ନୀତି ଲାଗୁ କରିବା ଓ ପରେ ତାହାକୁ ପ୍ରତ୍ୟାହାର କରିବା ନେଇ ୬୯ ବର୍ଷୀୟ ଜିଙ୍ଗପିନ୍‌ଙ୍କୁ ଖୁବ୍‌ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଚଳିତ ସପ୍ତାହରେ ନ୍ୟାସନାଲ ପିପୁଲ କଂଗ୍ରେସ ମିଟିଂରେ ଏହି ପ୍ରସଙ୍ଗଗୁଡ଼ିକୁ ଏଡ଼ାଇ ଦିଆଯାଇଥିଲା। ଉକ୍ତ ମିଟିଙ୍ଗରେ ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।

ସର୍ବ ସହମତିରେ ଜିଙ୍ଗପିନ୍‌ଙ୍କୁ ପୁଣି ଥରେ ଦେଶର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି। ସମସ୍ତ ୨୯୫୨ ଭୋଟ ତାଙ୍କ ସପକ୍ଷରେ ଯାଇଥିଲା। ଏହି ସମୟରେ ଜିଙ୍ଗପିନ୍‌ ନିଜ ଡାହାଣ ହାତକୁ ଟେକିଥିବା ବେଳେ ବାମ ହାତକୁ ଲାଲ କପଡ଼ାରେ ଗୁଡ଼ା ହୋଇଥିବା ଚାଇନାର ସମ୍ବିଧାନ ଉପରେ ରଖିଥିଲେ।

ସର୍ବ ସମ୍ମତକ୍ରମେ ନିର୍ବାଚିତ ହେବା ପରେ ଜିଙ୍ଗପିନ୍‌ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ସମ୍ବିଧାନ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ ନେଉଛି। ଏହି ଅବଧୀ ମଧ୍ୟରେ ମୁଁ ନିଜ ଦାୟିତ୍ୱ ଠିକ ଭାବେ ସୁପରିଚାଳନା କରିବି, ମାତୃଭୂମି ପ୍ରତି ବିଶ୍ୱସ୍ତ ରହିବି ତଥା ସଚ୍ଚୋଟତା ଏବଂ ପରିଶ୍ରମ ସହିତ ନିଜ କର୍ତ୍ତବ୍ୟ କରିବି।

Leave A Reply

Your email address will not be published.