ଆଇନରେ ପରିଣତ ହେଲେ ମହିଳା ସଂରକ୍ଷଣ ବିଲ୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା।

ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକିଥିଲେ। ସଂସଦର ନୂଆ ବିଲଡିଂରେ ପ୍ରଥମ ବିଲ୍ ଭାବେ ଏହାକୁ ଆଗତ କରାଯାଇଥିଲା। ଉଭୟ ସଦନରେ ଏହା ଉପରେ ୧୫୦ରୁ ଅଧିକ ସଦସ୍ୟ ନିଜର ମତ ରଖିଥିଲେ। ଏହାପରେ ଏହି ବିଲ୍‌ ପାରିତ ହୋଇଥିଲା।

ଆଜି ରାଷ୍ଟ୍ରପତି ମୁର୍ମୁ ଏହି ବିଲକୁ ମଞ୍ଜୁରୀ ଦେବାରୁ ଏହା ଆଇନରେ ପରିଣତ ହୋଇଯାଇଛି। ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି। ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ ପଠାଇବା ପୂର୍ବରୁ ଆଜି ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକର ଏହା ଉପରେ ମୋହର ମାରିଥିଲେ।

ମହିଳା ସଂରକ୍ଷଣ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏହା ନିକଟ ଭିବଷ୍ୟତରେ ଲାଗୁ ହେବାର ସମ୍ଭାବନା କମ। ୨୦୨୯ ପୂର୍ବରୁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହୋଇଥିଲେ ମଧ୍ୟ ମହିଳାଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ।

ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ। ୨୦୨୬ କିମ୍ବା ୨୦୨୭ରେ ଯାଇ ଦେଶରେ ଜନଗଣନା କରାଯିବ। ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।

ଏବେ ୨୦୨୭ରେ ଜନଗଣନା କରିବାକୁ ଯୋଜନା ହୋଇଛି। ୨୦୨୭ରେ ଜନଗଣନା ହେବା ପରେ ୨୦୨୯ ନିର୍ବାଚନ ବେଳକୁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ। ଏହାବାଦ ଆଇନରେ ପରିଣତ ହେବା ପରେ ଏହା ୧୫ ବର୍ଷ ଯାଏ କାର୍ଯ୍ୟକ୍ଷମ ହେବ। ଏହାପରେ ଏହାକୁ ବୃଦ୍ଧି ମଧ୍ୟ କରାଯାଇ ପାରିବ।

Comments are closed.