ଡିସେମ୍ବର ୪ରୁ ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ ଉପରେ ଆଲୋଚନା କରାଯିବ। ସାଧାରଣତଃ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥାଏ। କିନ୍ତୁ ଏଥର ଅଧିବେଶନ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମର ନିର୍ବାଚନ ଫଳାଫଳ ଡିସେମ୍ବର ୩ରେ ଆସିବ। ଏଭଳି ପରିସ୍ଥିତିରେ ସଂସଦରେ ଏହି ଫଳାଫଳର ପ୍ରତିଧ୍ୱନି ମଧ୍ୟ ଦେଖିବାକୁ ମିଳିବାର ଆଶା ରହିଛି। ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ କରିବାକୁ ଚେଷ୍ଟା କରିବେ। ନିର୍ବାଚନ ଫଳାଫଳ ଯଦି ସପକ୍ଷରେ ଆସିବ ତେବେ ସରକାର ଅଧିକ କ୍ଷମତା ପାଇବେ। ଅନ୍ୟପକ୍ଷରେ ଫଳାଫଳ ଯଦି କଂଗ୍ରେସ ସପକ୍ଷରେ ଯାଏ, ତେବେ ସଂସଦରେ ସମୀକରଣ ମଧ୍ୟ ବଦଳିପାରେ।
ମିଳିଥିବା ସୂଚନା ଅନୁସାରେ ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତ ଅଗଷ୍ଟ ୧୧ରେ ଲୋକ ସଭାରେ ଆଗତ କରିଥିବା ୩ ବିଲ୍‌କୁ ଏଥର ଅଧିବେଶନରେ ଉପସ୍ଥାପନ କରାଯିବ। ଏହି ତିନୋଟି ବିଲ୍‌ ଗୃହ ସଂସଦୀୟ କମିଟି ଦ୍ୱାରା ଅନୁମୋଦନ ହୋଇସାରିଛି। ଆଇପିସି, ସିଆର୍‌ପିସି ଏବଂ ଏଭିଡେନ୍ସ ଆକ୍ଟକୁ ବଦଳାଇ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌) ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ବିଲ୍‌-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ(ବିଏସ୍‌) ବିଲ୍‌-୨୦୨୩କୁ ଗୃହୀତ କରାଇବାକୁ ସରକାର ଚାହୁଁଛନ୍ତି। ତେଣୁ ଏହି ବିଲ୍‌କୁ ଏଥର ଗୃହରେ ଉପସ୍ଥାପନ କରାଯିବ। ଏହା ବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ କମିଶନରଙ୍କ ନିଯୁକ୍ତି ପାଇଁ ବିଲ୍‌ ମଧ୍ୟ ସଂସଦରେ ଅନୁମୋଦନ ପାଇଁ ଉପସ୍ଥାପନ ହେବ। ଏହି ବିଲ୍‌ ଉପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ଦୃଢ଼ ଆପତ୍ତି ରହିଛି।

Comments are closed.