ଭାଙ୍ଗି ଯିବକି ସୋରେନ ସରକାର
ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ତୁଟିବାର ନାଁ ଧୁରନି। ସେ ରାଜ୍ୟର ଗୋଟିଏ ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଛନ୍ତି। ଅଫିସ ଅଫ ପ୍ରଫିଟ ବା ଦ୍ୱୈତ ସ୍ୱାର୍ଥ ଘଟଣାରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ ନିର୍ବାଚନ କମିଶଦ ସୁପାରିସ କରିଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ହେମନ୍ତ ସୋରେନ ଆଜି ଜରୁରୀ ପରିସ୍ଥିତିରେ ବିଧାୟକ ଦଳ ବୈଠକ ଡାକିଛନ୍ତି।
ଏହି ବୈଠକରେ ତାଙ୍କ ଦଳ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବ୍ୟତୀତ ସରକାରରେ ସାମିଲ ହୋଇଥିବା କଂଗ୍ରେସ ଓ ଅନ୍ୟ ଦଳର ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ। ନିଜ ତଥା ରାଜ୍ୟ ସରକାରଙ୍କ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ସ୍ଥିର କରିବାକୁ ଏପରି ବୈଠକ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡାକିଥିବା ଜଣାପଡ଼ିଛି। ରାଞ୍ଚି ସ୍ଥିତି ସୋରେନଙ୍କ ବାସଭବନରେ ଏହି ବୈଠକ ବସିବ। ଏଥିପାଇଁ ଏବେଠାରୁ ହେମନ୍ତ ସୋରେନଙ୍କ ବାସଭବନରେ ହଲଚଲ ଆରମ୍ଭ ହୋଇଯାଇଛି। ଆଜିର ବୈଠକରେ କ’ଣ ସବୁ ନିଷ୍ପତ୍ତି ନିଆଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଗୁରୁବାର ନିର୍ବାଚନ କମିଶନ ବନ୍ଦ ଲଫାପାରେ ଗୋଟିଏ ଚିଠି ରାଜ୍ୟପାଳ ରମେଶ ବେସଙ୍କ ନିକଟକୁ ପଠାଇଥିଲେ। ଏଥିସହ ସେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ କହିଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ହେଲେ ଏଯାଏ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ।
ଏହାକୁ ନେଇ ହଟଚମଟ ଜାରି ରହିଥିବା ବେଳେ ରାଜ୍ୟପାଳ ରମେଶଙ୍କୁ ସାମ୍ବାଦିକମାନେ ଏ ସମ୍ପର୍କରେ ପଚାରିଥିଲେ।
Comments are closed.