କାହିଁକି ଚୀନ ବିରୋଧୀ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ
ଜାତିସଂଘ :ସବୁବେଳେ କିଛି ନା କିଛି କଥାକୁ ନେଇ ମୁହାଁମୁହିଁ ପଡୋଶୀ ଚୀନ ଓ ଭାରତ । କିନ୍ତୁ ଏଥର ଘଟଣା ଅନ୍ୟ ପ୍ରକାର ଘଟିଛି । ଚୀନ୍ର ଜିନ୍ଜିଆଙ୍ଗ ପ୍ରଦେଶରେ ଉଇଘର ମୁସ୍ଲିମମାନଙ୍କୁ ଗତ କିଛିବର୍ଷ ଧରି ଚରମ ନିର୍ଯାତନା ଦିଆଯାଉଥିବା ଏବଂ ପ୍ରାୟ ୧୦ ଲକ୍ଷରୁ ଅଧିକ ମୁସ୍ଲିମଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଆସୁଛି। ଏହାକୁ ନେଇ ଚୀନ୍ ବିରୋଧରେ ଆଜି ଜାତିସଂଘରେ ଆଗତ ଏକ ପ୍ରସ୍ତାବ ଉପରେ ଭୋଟ୍ଦାନରୁ ଭାରତ ବିରତ ରହିଛି ।
ସୂଚନାଯୋଗ୍ୟ, ଉଇଘର ମୁସ୍ଲିମ ନିର୍ଯାତନା ଅଭିଯୋଗକୁ ଚୀନ୍ ଅସ୍ବୀକାର କରିଆସୁଛି ଏବଂ ଏହାକୁ ସଂସ୍କାର କାର୍ଯ୍ୟକ୍ରମ ଦର୍ଶାଇ କୌଣସି ବାହ୍ୟ ଚାପକୁ ଖାତିର କରୁନାହିଁ। ଆଜି ଏହି ପ୍ରସଙ୍ଗରେ ବିତର୍କ ପାଇଁ ଜାତିସଂଘ ମାନବାଧିକାର ପରିଷଦରେ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ଏକ କୋର୍ ଗ୍ରୁପ୍ ଦ୍ବାରା ଉପସ୍ଥାପିତ ହୋଇଥିଲା ଯାହାକି କାନାଡ଼ା, ଡେନମାର୍କ, ଫିନ୍ଲାଣ୍ଡ, ଆଇସ୍ଲାଣ୍ଡ, ନରୱେ, ସ୍ବିଡେନ, ବ୍ରିଟେନ୍ ଏବଂ ଆମେରିକାକୁ ନେଇ ଗଠିତ। ଅନ୍ୟପକ୍ଷରେ ତୁର୍କୀ ଏବଂ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ପ୍ରସ୍ତାବ ସପକ୍ଷରେ ୧୭ଟି ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୧୯ଟି ଭୋଟ୍ ମିଳିଥିଲା। ଭୋଟଦାନରୁ ଚୀନ୍, ଭାରତ, ବ୍ରାଜିଲ, ମେକ୍ସିକୋ ଓ ୟୁକ୍ରେନ୍ ସମେତ ୧୧ଟି ରାଷ୍ଟ୍ର ବିରତ ରହିଥିଲେ ଏବଂ ଏହି ପ୍ରସ୍ତାବ ଖାରଜ ହୋଇଯାଇଥିଲା।
Comments are closed.