ଏକାଠି ହେଲେ ପାଇଲଟ ଗେହଲଟ

କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌। ପରସ୍ପରକୁ ଟାର୍ଗେଟ କରୁଥିବା ଏହି ଦୁଇ ନେତା ଏକାଠି ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଏହି ଦୁଇ ନେତା ମିଶି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ ମଧ୍ୟ ଜଣାଇଛନ୍ତି।

ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ଜୋରସୋରରେ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି ସମସ୍ତ ଦଳ। ଆଜି ଜୟପୁରରେ ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ପହଞ୍ଚିଥିଲେ। ଏହି ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ଅଶୋକ ଗେହଲଟ ଓ ସଚିନ ପାଇଲଟ୍। ଏ ଦୁହେଁ ବିମାନବନ୍ଦରରେ ପହଞ୍ଚି ରାହୁଲଙ୍କୁ ସ୍ୱାଗତ ଜଣାଇଛନ୍ତି। ଏହି ସମୟରେ ଏହି ତିନି କଂଗ୍ରେସ ନେତାଙ୍କ ମଧ୍ୟରେ ‘ପ୍ରଥମେ ଆପଣ ପ୍ରଥମେ ଆପଣ’ ଅତିଥି ସତ୍କାର ବେଳର ଭିଡିଓ ସାମ୍ନାକୁ ଆସିଛି।

ବିମାନ ବନ୍ଦରରେ ରାହୁଲ ଗାନ୍ଧି ସାମ୍ବାଦିକଙ୍କୁ ସମ୍ବୋଧନ କରିଛନ୍ତି। ଆମେ କେବଳ ଏକାଠି ନଜର ଆସିନୁ, ଆମେ ଏକାଠି ଅଛୁ ଆଉ ରହିବୁ ବୋଲି ସେ ସାମ୍ବାଦିକଙ୍କୁ କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ନିର୍ବାଚନ ଜିତିବ ବୋଲି ମଧ୍ୟ ରାହୁଲ ଦୃଢ଼ୋକ୍ତି ବାଢ଼ିଛନ୍ତି। ରାଜସ୍ଥାନରେ ଭୋଟିଂ ପୂର୍ବରୁ କଂଗ୍ରେସରେ କନ୍ଦଳ ଥିଲେ ମଧ୍ୟ ସମସ୍ତ ନେତା ଏକାଠି ନଜର ଆସିଛନ୍ତି। ଏଥିସହ ଜନତାଙ୍କ ଆଗରେ ସେମାନଙ୍କ ମଧ୍ୟରେ ଏକତା ବଜାୟ ରହିଥିବା ଦର୍ଶାଇବାକୁ କଂଗ୍ରେସ ଚେଷ୍ଟା କରିଛି।

Comments are closed.