କି ବାର୍ତ୍ତା ଦେବାକୁ ଚାହୁଛନ୍ତି ନୀତିଶ କୁମାର

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି ଓ କଂଗ୍ରେସ ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି।

ବିଜେପିକୁ ୨୦୨୪ରେ ହରାଇବା ପାଇଁ ସେ ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦିଲ୍ଲୀ ଆସି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିବା ନୀତୀଶ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏକାଧିକ ବାମପନ୍ଥୀ ଦଳର ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି।

ନୀତୀଶ କୁମାର ଆଜି କେଜ୍ରିୱାଲଙ୍କୁ ଭେଟିବା ସମୟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜେଡିୟୁ ନେତା ସଞ୍ଜୟ ଝା ଉପସ୍ଥିତ ଥିଲେ। ଏମାନେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ ମଧ୍ୟ ଏହାର ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ିନି। କିନ୍ତୁ ଆଗାମୀ ରାଜନୀତିକ ରଣନୀତି ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସମସ୍ତେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି।

Comments are closed.