ଆଜି ତ୍ରିପୁରା ନିର୍ବାଚନ ୬୦ ଆସନ ପାଇଁ ଭୋଟ ଗ୍ରହଣ

ଅଗରତାଲା: ଆଜି ନିର୍ଦ୍ଧାରିତ ସମୟ ସକାଳ ୭ଟାରେ ୬୦ ଆସନବିଶିଷ୍ଟ ତ୍ରିପୁରା ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।
ରାଜ୍ୟର ରାଜଧାନୀ ଅଗରତାଲାରେ ମତଦାନ କେନ୍ଦ୍ର ବାହାରରେ ଭୋଟର୍‌ମାନେ ଧାଡ଼ିବାନ୍ଧି ଭୋଟ୍‌ ଦେବାକୁ ପ୍ରତୀକ୍ଷା କରିଛନ୍ତି। ଅଗରତାଲା ଆସନରେ ଶାସକ ‘ବିଜେପି’ର ପ୍ରାର୍ଥିନୀ ପପିୟା ଦତ୍ତ କଂଗ୍ରେସ ପ୍ରାର୍ଥୀ ସୁଦୀପ୍ତ ରାୟ ବର୍ମନ୍‌ଙ୍କ ସହିତ ନିର୍ବାଚନ ଲଢୁଛନ୍ତି।

ଭୋଟର୍‌ମାନଙ୍କୁ ନିବେଦନ କରି ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା କହିଛନ୍ତି, ଗଣତନ୍ତ୍ରର ଏହି ମହୋତ୍ସବରେ ଅଂଶ ଗ୍ରହଣ କରି ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଆଗେଇ ଆସିବା ପାଇଁ ମୁଁ ସମସ୍ତ ଭୋଟର୍‌ମାନଙ୍କୁ ନିବେଦନ କରୁଛି। ସୁଶାସନ, ବିକଶିତ ଓ ସମୃଦ୍ଧ ଏବଂ ଦୁର୍ନୀତିମୁକ୍ତ ତ୍ରିପୁରାର ଶାସନ ଯାତ୍ରାରେ ପ୍ରତ୍ୟେକ ଭୋଟ୍‌ର ଅବଦାନ ରହିବ।

ତ୍ରିପୁରାର ଚିଫ୍‌ ଇଲେକ୍ଟୋରାଲ୍‌ ଅଫିସର୍‌ ଗିତ୍ତେ କିରଣକୁମାର ଦିନାକର୍‌ରାଓ ଗଣମାଧ୍ୟମକୁ କହିଛନ୍ତି, ଭୋଟ୍‌ ଗ୍ରହଣର ପ୍ରଥମ ୩୦ ମିନିଟ୍‌ ଭିତରେ ରାଜ୍ୟର କୌଣସି ପ୍ରାନ୍ତରେ କିଛି ଅପ୍ରୀତିକର ଘଟଣା ଘଟିଥିବା କିଂବା ‘ଇଭିଏମ୍‌’ରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିବା ରିପୋର୍ଟ ଆସିନାହିଁ।

ଆଜିର ଏହି ମତଦାନରେ ସମୁଦାୟ ୨୮.୧୩ ଭୋଟର୍‌ ୨୫୯ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବେ। ଏଥିପାଇଁ ରାଜ୍ୟରେ ସମୁଦାୟ ୩,୩୩୭ଟି ଭୋଟ୍‌ ଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ମାର୍ଚ ୨ ତାରିଖରେ ହେବ ଭୋଟ୍‌ ଗଣନା।

Comments are closed.