ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ସମସ୍ତଙ୍କୁ ଚକିତ କରି ଆଜି ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ | ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଛନ୍ତି ଯେ ସେ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି | ମାତ୍ର ବର୍ଷକ ପାଇଁ ଏହି ପଦରେ ରହିବା ପରେ ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିବା କହିଛନ୍ତି | ବାଚସ୍ପତି ଭାବେ ମୁଁ ନିଷ୍ଠାର ସହିତ କାର୍ଯ୍ୟକରିବାକୁ ଚେଷ୍ଟା କରିଛି। ଆଗକୁ ମଧ୍ୟ ରାଜନୈତିକ ଜୀବନରେ ନିଷ୍ଠାର ସହ କାମ କରିବି ବୋଲି ଶ୍ରୀ ଆରୁଖ ସାମ୍ବାଦିକମାନଙ୍କୁ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କେଶରୀ କହିଛନ୍ତି ଯେ ଦଳ ମୋତେ ଯେଉଁ ଦାୟିତ୍ୱ ଦେଲେ ବି ମୁଁ ତାହାକୁ ଆନ୍ତରିକତାର ସହିତ ସମ୍ପନ୍ନ କରିବି | ଉଲ୍ଲେଖ ଥାଉ କି ଗତ ଜୁନ, ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ପରିବର୍ତ୍ତନ ହୋଇଥିଲା | ସେତେବେଳେ ସବୁମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ | ଏଥିରେ ଅନେକ ନୂଆ ମୁହଁକୁ ସାମିଲ କରାଯାଇଥିବାବେଳେ ବିକ୍ରମ କେଶରୀଙ୍କୁ ବାଚସ୍ପତି କରାଯାଇଥିଲା | ତେବେ ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନର ଫଳାଫଳ ଆସିବାକୁ ଥିବାବେଳେ ଅପରାହ୍ନ ୧ଟା୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଫେରିବେ | ତେବେ ମୁଖ୍ୟମନ୍ତ୍ରୀ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି |

Comments are closed.