ଗାଜାକୁ ନେଇ ଜାତିସଂଘ-ଇସ୍ରାଏଲ ମୁହାଁମୁହିଁ

ନୂଆଦିଲ୍ଲୀ :  ଗାଜାରେ ଅନ୍ତର୍ଜାତୀୟ ମାନବୀୟ ଆଇନର ଖୋଲା ଉଲଂଘନ ହେଉଥିବା କହିଥିଲେ ଗୁଟେରସ। ପ୍ରତିକ୍ରିୟାରେ ଜାତିସଂଘ ଅଧିକାରୀଙ୍କ ଭିସା ବାତିଲ କରି ଦେଇଛି ଇସ୍ରାଏଲ। ଏଥିସହ ଗୁଟେରସ ଇସ୍ତଫା ଦିଅନ୍ତୁ ବୋଲି ଇସ୍ରଏଲ ଦାବି କରିଥିଲା। ଇସ୍ରାଏଲର ଏଭଳି ପ୍ରତିକ୍ରିୟା ତାଙ୍କୁ ଚିକିତ କରିଛି ବୋଲି ଗୁଟେରସ କହିଛନ୍ତି।

ଅକ୍ଟୋବର ୭‌ରେ ହୋଇଥିବା ହମାସ ଆକ୍ରମଣ ଶୂନ୍ୟରେ ହୋଇଯାଇନାହିଁ ବୋଲି ଗୁଟେରସ କହିଥିବାବେଳେ ଇସ୍ରାଏଲ ଏହାକୁ କଡ଼ା ନିନ୍ଦା କରିଛି। ଜାତିସଂଘକୁ ଇସ୍ରାଏଲର ପ୍ରତିନିଧି ଗିଲାଡ଼ ଏର୍ଡାନ ଇସ୍ରାଏଲୀ ସେନା ରେଡିଓରେ କହିଛନ୍ତି, ମଧ୍ୟପ୍ରାଚ୍ୟ ସଙ୍କଟ ସଂକ୍ରାନ୍ତରେ ଗୁଟେରସଙ୍କ ଟିପ୍ପଣୀ ପରେ ଇସ୍ରାଏଲ ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି।

ସେପଟେ ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଦିନକରେ ୪୦୦ ଥର ବିମାନ ଆକ୍ରମଣ କରିଛି। ହମାସ ଇସ୍ରାଏଲ ଉପରେ ରକେଟ୍‌ ମାଡ଼ ପାଇଁ ପ୍ରସ୍ତୁତ ହୋଇଥିବା ଜାଣିବାପରେ ଇସ୍ରାଏଲ ୪୦୦ ଥର ବିମାନ ଆକ୍ରମଣ କରିଥିବା କହିଛି। ଏହାର ପୂର୍ବଦିନ ମଧ୍ୟ ଇସ୍ରାଏଲ ୩୨୦ ଥର ବିମାନ ଆକ୍ରମଣ କରିଥିଲା। ତେବେ ଯୁଦ୍ଧର ପରିଣତି ସ୍ବରୂପ ଗାଜାରେ ୨.୩ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପାଣି ନାହିଁ କି ଔଷଧ ମଧ୍ୟ ନାହିଁ। ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୫,୭୯୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬, ୨୯୭ ଜଣ ଆହତ ହୋଇଛନ୍ତି। ୱେଷ୍ଟ ବ୍ୟାଙ୍କ୍‌ରେ ୯୬ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬୫୦ ଜଣ ଆହତ ହୋଇଛନ୍ତି ବୋଲି ଦାବି ହୋଇଛି। ଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବାବେଳେ ଇସ୍ରାଏଳ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି।

Comments are closed.