ୟୁକ୍ରେନ ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପାରିତ ହେଲା ପ୍ରସ୍ତାବ

ଭୁବନେଶ୍ୱର : ଆଜିକୁ ଠିକ୍‌ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ହମଲା କରିଥିଲେ। ୟୁକ୍ରେନ ଅପେକ୍ଷାକୃତ ଦୁର୍ବଳ ଓ ଛୋଟ ଦେଶ ହୋଇଥିଲେ ମଧ୍ୟ ରୁଷ ହମଲାରେ ଡରି ଯାଇ ନଥିଲା।

ଫଳରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ। ଏହି ଯୁଦ୍ଧ ଏଯାଏ ମଧ୍ୟ ଚାଲିଛି। ୟୁକ୍ରେନ ହାର ମାନିନି। ଅବଶ୍ୟ ଆମେରିକା ଓ ବ୍ରିଟେନ ଭଳି ଦେଶ ପରଦା ପଛରେ ରହି ୟୁକ୍ରେନକୁ ସବୁ ସହଯୋଗ କରୁଛନ୍ତି। ତଥାପି ୟୁକ୍ରେନ ସେନାର ସାହାସକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।

କାରଣ ରୁଷ ଭଳି ଶକ୍ତିଶାଳୀ ଦେଶକୁ ୟୁକ୍ରେନ ମୁହଁତୋଡ଼ ଜବାବ ଦେଇଛି। ଆଜି ଏହି ଯୁଦ୍ଧକୁ ବର୍ଷେ ପୂରିଥିବା ବେଳେ ମିଳିତ ଜାତିସଂଘ ପୁଣିଥରେ ରୁଷ ବିରୋଧରେ ଗୋଟିଏ ସଂକଳ୍ପ ପାରିତ କରିଛି। ଏହି ସଂକଳ୍ପରେ ରୁଷକୁ ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରି ନେବାକୁ ଆହ୍ୱାନ ଦିଆଯାଇଛି।

ମିଳିତ ଜାତିସଂଘର ସାଧାରଣ ପରିଷଦ (ୟୁଏନଜିଏ) ୟୁକ୍ରେନରେ ବ୍ୟାପକ, ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ସଂକଳ୍ପ ପାରିତ କରିଛି। ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ହୋଇଥିବା ଆଲୋଚନା ବେଳେ ଜାତିସଂଘର ପ୍ରାୟ ସବୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୧୪୧ ଜଣ ରୁଷ ବିରୋଧୀ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ୭ ଜଣ ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ଚାଇନା ଓ ଭାରତ ସମେତ ୩୨ଟି ରାଷ୍ଟ୍ର ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ।

ତଥାପି ଅଧିକାଂଶ ସଦସ୍ୟ ସଂକଳ୍ପକୁ ସମର୍ଥନ କରିଥିବାରୁ ଏହା ସାଧାରଣ ସଭାରେ ପାରିତ ହୋଇଛି। ଏହାପୂର୍ବରୁ ମଧ୍ୟ ମିଳିତ ଜାତିସଂଘରେ ରୁଷ ବିରୋଧରେ ଆସିଥିବା ଅଧିକାଂଶ ସଂକଳ୍ପରୁ ଭାରତ ନିଜକୁ ଦୂରେଇ ରଖିବାର ନଜିର ରହିଛି। ଭାରତ ମତରେ ଏପରି ସଂକଳ୍ପର ମୂଲ୍ୟ କିଛି ନାହିଁ। ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ମାଧ୍ୟମ ହେଲା କୂଟନୀତିକ ଆଲୋଚନା।

Comments are closed.