ତୁର୍କୀ ଭୂକମ୍ପ ୧୫,୦୦୦ ରୁ ଉର୍ଦ୍ଧ୍ବ ମୃତ ସଂଖ୍ୟା ଟପିଲା

ଇସ୍ତାନବୁଲ : ତୁର୍କୀ ଓ ସିରିୟାରେ ଭୂକମ୍ପ ବିଭୀଷିକା ପ୍ରଳୟଙ୍କରୀ ସ୍ଥିତି ଆଣିଛି। ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଆଜି ଭାରତୀୟ ସମୟ ରାତି ୨ଟା ସୁଦ୍ଧା ୧୫୦୦୦ ଅତିକ୍ରମ କରିଛି। ପ୍ରତି ମିନିଟ୍‌ରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଉଦ୍ଧାର ପାଇଁ ଅପେକ୍ଷା କରି ଅନେକ ଲୋକ ଆଖି ବୁଜିଦେଉଛନ୍ତି। ଭୂକମ୍ପ ଯୋଗୁଁ ତୁର୍କୀରେ ଧନଜୀବନର ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି ଏବଂ ସିରିୟାରେ ମାନବୀୟ ସଙ୍କଟ ଅତି ଚରମରେ ପହଞ୍ଚିଛି। ଆଜି ତୁର୍କୀର ଗାଜିଆନଟେପ ପ୍ରଦେଶରେ ପୁଣିଥରେ ୪.୩ ତୀବ୍ରତାର ଭୂକମ୍ପ ଆତଙ୍କ ବଢ଼ାଇଦେଇଛି। ଭୂକମ୍ପରୁ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ଏବେ ପ୍ରବଳ ଥଣ୍ଡାରେ ଥରୁଛନ୍ତି। ବିଶେଷ କରି ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ପରିସ୍ଥିତି ଅତି ଜଟିଳ ହେଲାଣି। ଭୂକମ୍ପରୁ ବର୍ତ୍ତି ଯାଇଥିବା ହତୟ ପ୍ରଦେଶର ଜଣେ ୬୪ ବର୍ଷୀୟା ବୃଦ୍ଧା କହିଛନ୍ତି,

ଆମେ ଭୂକମ୍ପରୁ ବଞ୍ଚିଗଲୁ। କିନ୍ତୁ ଏବେ ଆମେ ଭୋକ ଏବଂ ଥଣ୍ଡାରେ ମରିଯିବୁ। ସବୁଠି ଲୁହ, କୋହ ଓ ହାହାକାର ଭିତରେ ଲୋକେ ଛଟପଟ ହେଉଛନ୍ତି। ତୁର୍କୀରେ ବିଶାଳ ଉଦ୍ଧାର ଅଭିଯାନ ଜାରି ରଖିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ। ଉଦ୍ଧାରକାରୀ ଦଳ ସାରା ରାତି ପ୍ରବଳ ଶୀତରେ ବି କାମ କରୁଛନ୍ତି। ତଥାପି ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ଉଦ୍ଧାର କାର୍ଯ୍ୟକୁ କଠିନ କରିଦେଇଛି।

Comments are closed.