ମିଛ ଖବର ପ୍ରସାରରେ ସତ୍ ବଳି ପଡୁଛି,, ସୁପ୍ରିମକୋର୍ଟ ମୁଖ୍ୟ ବିଚାର
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ଆମେରିକାନ ବାର୍ ଆସୋସିଏସନ (ଏବିଏ) ଇଣ୍ଡିଆ ସମ୍ମିଳନୀ ୨୦୨୩ରେ ‘ଜଗତୀକରଣ ଯୁଗରେ ଆଇନ: ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମନ୍ବୟ’ ଉପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମତ ରଖି ଏହା କହିଛନ୍ତି। ପ୍ରଧାନ ବିଚାରପତିଙ୍କ ମତରେ ଆମେ ଏବେ ଏପରି ଯୁଗରେ ବଞ୍ଚୁଛେ ଯେଉଁଠି ଲୋକଙ୍କ ସହନଶୀଳତା କମ୍, ଧୈର୍ଯ୍ୟ ମଧ୍ୟ କମ୍। ଏହାବ୍ୟତୀତ ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା’ହେଲେ ଟ୍ରୋଲିଂ ବା ସମାଲୋଚନା ଆରମ୍ଭ କରିଦେଉଛନ୍ତି। ମିଛ ଖବରର ପ୍ରସାର ଭିତରେ ସତ ବଳିପଡ଼ୁଛି ବୋଲି ପ୍ରଧାନବିଚାରପତି କହିଛନ୍ତି। ଲୋକମାନେ ସେମାନଙ୍କ ନିଜ ମତଠାରୁ ଭିନ୍ନ ମତ ଓ ଦୃଷ୍ଟିକୋଣକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ଟ୍ରୋଲିଂ ସମସ୍ୟା ଉପୁଜୁଛି।
ବିଚାରପତି ଭାବେ ଆମେ ଯାହା କିଛି କରୁଛୁ ଟ୍ରୋଲ ହେବାର ଭୟ ରହିଥାଏ। ଏପରିକି ମତ ସହିତ କୌଣସି ପ୍ରକାରେ ଜଡ଼ିତ ନଥିବା ବ୍ୟକ୍ତି ମଧ୍ୟ ଟ୍ରୋଲ କରିପାରନ୍ତି। ସାମାଜିକ ଗଣମାଧ୍ୟମ, ବିଶେଷକରି ମାଇକ୍ରୋବ୍ଲଗିଂ ୱେବସାଇଟ୍ ଟ୍ବିଟରରେ ଟ୍ରୋଲିଂ ସମସ୍ୟା ଗୁରୁତର। ଦୁର୍ବ୍ୟବହାରକୁ ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା ସତ୍ତ୍ବେ ଯେକୌଣସି ବ୍ୟକ୍ତିକୁ ଏଥିରେ ଟାର୍ଗେଟ କରାଯାଇପାରୁଛି।
ଟ୍ରୋଲିଂ ସମସ୍ୟା ଉପରେ ସୁପ୍ରିମକୋର୍ଟ ପୂର୍ବରୁ ଏକାଧିକ ଥର ଚିନ୍ତାବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ହେଉଥିବା ଆକ୍ରମଣକୁ ବିଚାରକୁ ନେଇ ଏହାର ନିୟନ୍ତ୍ରଣ ଆବଶ୍ୟକ ବୋଲି ୨୦୧୭ରେ ସୁପ୍ରିମ କୋର୍ଟ କହିଥିଲେ। ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଗୁଡ଼ିକରେ ଅଧିକ ମହିଳା ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ସେ ନିଶ୍ଚିତ ସମର୍ଥନ କରନ୍ତି। କିନ୍ତୁ ଏହାର ଉତ୍ତର ଟିକେ ଜଟିଳ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
Comments are closed.