ନିର୍ବାଚନ ଲଢ଼ିବେ ଟ୍ରମ୍ପ

ପାମ୍‌ ବିଚ୍‌: ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ଯୋଗ ଦେବାର ଅଳ୍ପ ସମୟ ପୂର୍ବରୁ ତାଙ୍କ ନିର୍ବାଚନ ପ୍ରଚାର ଟିମ୍‌ ଆବଶ୍ୟକ କାଗଜପତ୍ର ଫାଇଲ୍‌ କରିଥିଲେ।
ଫ୍ଲୋରିଡାରେ ଥିବା ତାଙ୍କ ପ୍ରାସାଦତୁଲ୍ୟ ବାସଭବନ ମାର୍‌-ଆ-ଲାଗୋରେ ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷିୟ ଟ୍ରମ୍ପ୍‌ ସମର୍ଥକମାନଙ୍କୁ କହିଛନ୍ତି, ଏବେଠୁ ଆମେରିକାର ପୁନଃଆଗମନ ଆରମ୍ଭ ହେଲା।

ପ୍ରାର୍ଥୀତ୍ବ ଘୋଷଣା ଉଦ୍‌ବୋଧନ ଆରମ୍ଭ କରିବାର ନିର୍ଦ୍ଧାରିତ ୨୩ ମିନିଟ୍‌ ପୂର୍ବରୁ ‘ଫେଡେରାଲ୍‌ ଇଲେକ୍‌ସନ୍‌ କମିସନ୍‌’ରେ ଟ୍ରମ୍ପ୍‌ଙ୍କ କାଗଜପତ୍ର ଫାଇଲ୍‌ କରାଯାଇଥିଲା। ଟ୍ରମ୍ପ୍‌ଙ୍କ ରାଜନୈତିକ ସଂଗଠନରେ ପୂର୍ବରୁ କାର୍ଯ୍ୟ କରିଥିବା ବ୍ରେଡ୍‌ଲି କ୍ରେଟ୍‌ ‘ଡୋନାଲ୍‌ଡ୍‌ ଜେ. ଟ୍ରମ୍ପ୍‌ ଫର୍‌ ପ୍ରେଜିଡେଣ୍ଟ୍‌ ୨୦୨୪’ ନାମରେ ଗୋଟାଏ କମିଟି ଗଠନ କରି ‘ୟୁ‌ଏସ୍‌ ଫେଡେରାଲ୍‌ ଇଲେକ୍ସନ୍‌ କମିସନ୍‌’ରେ କାଗଜପତ୍ର ଫାଇଲ୍‌ କରିଥିଲେ।

ଆମେରିକାର ଦୁଇଟି ରାଜନୈତିକ ଦଳ ମଧ୍ୟରୁ ବିଦ୍ଧିବଧଭାବେ ପ୍ରାର୍ଥୀତ୍ବ ଘୋଷଣା କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ଆମେରିକୀୟ ଟେଲିଭିଜନ୍‌ରେ ‘ଲାଇଭ୍‌ ବ୍ରଡ୍‌କାଷ୍ଟ୍‌’ କରାଯାଇଥିଲା। ଅନେକ ଝୁମର (ଝାଡ଼ ଦୀପ ପରି ଦିଶୁଥିବା ଆଲୋକମାଳା) ଆମେରିକୀୟ ଜାତୀୟ ପତାକାରେ ସୁସଜ୍ଜିତ ବଲ୍‌ରୁମ୍‌ରେ ଟ୍ରମ୍ପ୍‌ ଶହ ଶହ ସମର୍ଥକମାନଙ୍କୁ କହିଛନ୍ତି, ଆମେରିକାକୁ ପୁଣି ମହାନ୍‌ କରିବା ଲାଗି, ଆଜି ରାତିରେ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିମନ୍ତେ ମୋର ପ୍ରାର୍ଥୀତ୍ବ ଘୋଷଣା କରୁଛି।

Comments are closed.