ଟ୍ରେନ ଦୁର୍ଘଟଣା; ୪୫ ଟ୍ରେନ ବାତିଲ

ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।ଦୁର୍ଘଟଣା ପରେ ଏହି ରୁଟରେ ଆସିବାକୁ ଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତଙ୍କ ଘର ଆନ୍ଧ୍ରପ୍ରଦେଶ। ଏବେ ବି ୩ ଜଣଙ୍କର ପରିଚୟ ମିଳିନାହିଁ। ତେବେ ମୃତକ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି। ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛି ରେଳ ବିଭାଗ। ଗୁରୁତର ଆହତ ଯାତ୍ରୀଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଦିଆଯିବ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Comments are closed.