ଇଡିକୁ ସୁପ୍ରିମକୋର୍ଟଙ୍କ କଡା ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ୨ଟି ପୃଥକ୍‌ ଜାମିନ ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଆଜି ଦୁଇ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡିକୁ କଡ଼ା ପ୍ରଶ୍ନ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବଂ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଆଜି ସୁପ୍ରିମକୋର୍ଟ ମାମଲାର ପ୍ରମାଣକୁ ନେଇ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଉକ୍ତ ମାମଲାରେ ରଖିଥିବା ପ୍ରମାଣରେ ଏକ ଶୃଙ୍ଖଳା ରଖିବାକୁ ପଡ଼ିବ। ଖଣ୍ଡପୀଠ କହିଛନ୍ତି, ଆମେ ମାନୁଛୁ ‌ଯେ ସବୁକିଛି ଅତ୍ୟନ୍ତ ଗୋପନୀୟ ଭାବେ ‌ହୋଇଥିବାରୁ ପ୍ରମାଣରେ ଶୃଙ୍ଖଳା ବଜାୟ ରଖିବା କଷ୍ଟଦାୟକ। କିନ୍ତୁ ଏଠାରେ ହିଁ ଆପଣଙ୍କ ଦକ୍ଷତା କଥା ଉଠୁଛି।

ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଅନୁଯାୟୀ ସିସୋଦିଆ ତଥାକଥିତ ଲିକର ଗ୍ରୁପ୍‌ଠାରୁ ଟଙ୍କା ନେଇଛନ୍ତି। ତଦନ୍ତକାରୀ ସଂସ୍ଥା ୨ଟି ସଂଖ୍ୟା ରଖିଛନ୍ତି। ଗୋଟିଏ ହେଉଛି ୧୦୦ କୋଟି ଏବଂ ଅନ୍ୟଟି ୩୦ କୋଟି। ତେବେ ଅଭିଯୁକ୍ତଙ୍କୁ ଟଙ୍କା ଦେଲା କିଏ ? ଏକାଧିକ ଲୋକ ଏହି ଟଙ୍କା ଦେଇଥାଇପାରନ୍ତି। ଏ ବାବଦରେ ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ କ’ଣ? ବ୍ୟବସାୟୀ ଦିନେଶ ଆରୋରା ମାମଲାରେ ନିଜେ ଜଣେ ଅଭିଯୁକ୍ତ ଏବଂ ଏହି ବ୍ୟକ୍ତିଙ୍କ ଟିପ୍ପଣୀ ବାଦ୍‌ ସିସୋଦିଆଙ୍କ ବିରୋଧରେ ଅନ୍ୟ କିଛି ପ୍ରମାଣ ଅଛି କି ‌ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କୋର୍ଟ କହିଛନ୍ତି, ସିସୋ‌ଦିଆ ସାଉଥ୍‌ ଗ୍ରୁପ୍‌ ଏବଂ ଲିକର ଲବିର କଥାବାର୍ତ୍ତାରେ ସମ୍ପୃକ୍ତ ନାହାନ୍ତି। ତେଣୁ ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଅଭିଯୁକ୍ତ ଦର୍ଶାଇଲେ କେମିତି ? କୋର୍ଟ କହିଛନ୍ତି, ଟଙ୍କା ମନୀଷଙ୍କ ପାଖକୁ ଯାଇନି। ତେଣୁ ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ଆଇନ ଅଧୀନରେ ତାଙ୍କୁ ଆଣିଲେ କେମିତି।

Comments are closed.