ଆଜି ଶ୍ରାବଣର ପ୍ରଥମ ସୋମବାର
ଶ୍ରାବଣ ମାସର ପ୍ରଥମ ସୋମବାର। ଶୈବପୀଠରେ ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିବ। ଜଳ ଉଠାଇବାଠାରୁ ଠାକୁରଙ୍କ ଜଳଲାଗି ପର୍ଯ୍ୟନ୍ତ ସବୁକିଛି କିପରି ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ହେବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାଉଡ଼ିଆଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ୍ ମ୍ୟାନେଜମେଣ୍ଟ, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ଟି ସ୍ଥାନରେ ୨ଜଣ ଅତିରିକ୍ତ ଡିସିପି, ୪ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବ୍ଇନ୍ସପେକ୍ଟର ଓ ଏଏସ୍ଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ରହିଛନ୍ତି। ସହରର କାଉଡ଼ିଆଙ୍କ ଯିବା ଆସିବା ବାଟରେ ମୋବାଇଲ ପାଟ୍ରୋଲିଂ ଟିମ୍, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକଗୁଡିକରେ ଫାଷ୍ଟଏଡ୍ ଓ ମୋବାଇଲ ମେଡିକାଲ ୟୁନିଟ୍ ରହିବ। ଏନେଇ ରବିବାର ଡିସିପି ପ୍ରତୀକ ସିଂ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ବ୍ୟାରିକେଡ କରାଯାଇଥିବା ବେଳେ ମନ୍ଦିର ଭିତରକୁ ବ୍ଲେଡ୍ ଓ ଛୁରି ନେବା ଉପରେ କଟକଣା କରାଯାଇଛି। କାଉଡ଼ିଆମାନେ ବେଢା ଭିତରେ ଆଡ଼କାଠ ନିକଟରେ ଥିବା ଏକ ତମ୍ବା ପାତ୍ରରେ ପାଣି ଢାଳିବେ। କୌଣସି ଠେକି ଭିତରକୁ ଛଡ଼ାଯିବ ନାହିଁ। ଠେକି ବେଢାରେ ରଖି ଭିତରକୁ ଦର୍ଶନ କରିବାକୁ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ଜଳ ଉଠାଇବା ସ୍ଥାନ ବିନ୍ଦୁ ସାଗରରେ ଏବଂ ଜଳ ଲାଗି ସ୍ଥାନ ଲିଙ୍ଗରାଜ ମନ୍ଦିର ପରିସରରେ ଓଡ୍ରାଫ ଓ ଫାୟାର ଫାଇଟିଂ ୟୁନିଟ ମୁତୟନ ହେବେ। ଏଥିସହ ବିଭିନ୍ନ ନଦୀପଠାରେ ମଧ୍ୟ ଏହି ୟୁନିଟ୍ ନିୟୋଜିତ ରହିବେ। ସେହିପରି ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିବାବେଳେ କଣ୍ଟ୍ରୋଲ ରୁମ୍ରୁ ଏସବୁକୁ ମନିଟର କରାଯିବ ବୋଲି ଡେପୁଟି ଫାୟାର ଅଫିସର ଅବନୀ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
Comments are closed.