ଆଜି ଭାରତ ପାକିସ୍ତାନ ମହାମୁକାବିଲା
ଦୁବାଇ: ଏସିଆ କପର ପ୍ରତୀକ୍ଷିତ ହାଇଭୋଲଟେଜ ଲଢେଇ ଆରମ୍ଭ ହେବ । ଆଉ କିଛି ଘଣ୍ଟା ପରେ ଏସିଆ କପ୍ ମହାମୁକାବିଲା ଆରମ୍ଭ ହେବାକୁ ଯାଉଛି । ଏସିଆ କପ୍ ର ଦ୍ୱିତୀୟ ଦିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍ ହେବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ପାକିସ୍ତାନ ମଇଦାନରେ ମୁହାଁମୁହିଁ ହେବେ । ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାକୁ ଲାଗିଛି । ସମୟ ଯେତିକି ପାଖଉଛି ଉତ୍ସାହ ସେତିକି ବଢୁଛି । ପାକ୍ ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ମ୍ୟାଚ ।
ଗତ ବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଏଥର କ୍ୟାପ୍ଟେନ ରୋହିତ ଶର୍ମା କ୍ରିକେଟପ୍ରେମୀଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା ରହିଛି । ଟି-୨୦ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ମ୍ୟାଚକୁ ନେଇ କ୍ରେଜ ବଢିବାକୁ ଲାଗିଛି ।
ଆଜିର ମୁକାବିଲାରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । କୋହଲି ଟି-୨୦ ଫର୍ମାଟରେ ତାଙ୍କର ୧୦୦ତମ ମ୍ୟାଚ ଖେଳିବେ । କିଛି ଦିନ ହେବ ଫର୍ମରେ ନଥିବା ବିରାଟଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଅଭ୍ୟାସ ମ୍ୟାଚରେ କୋହଲି ଭଲ ଖେଳିଥିଲେ । ଆଜି ନିଜକୁ ପ୍ରମାଣ କରିବାକୁ ହେଲେ ବିରାଟଙ୍କୁ ବଡ ସଟ ଖେଳିବାକୁ ହେବ ।
ଟି-ଟ୍ବେଣ୍ଟି ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସୂର୍ୟ୍ୟକୁମାର । ସୂର୍ୟ୍ୟଙ୍କ ବ୍ୟାଟରୁ ମଧ୍ୟ ଆଜି ବଡ ଇନିଂସ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ବୋଲିଂ ବିଭାଗକୁ ଦେଖିଲେ ଭାରତ ପାଖରେ ଅଭିଜ୍ଞ ବୋଲିର ଅଛନ୍ତି । ଦଳର ପ୍ରମୁଖ ପେସ ବୋଲ ଜଶପ୍ରୀତ ବୁମରା ନାହାନ୍ତି । ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନଙ୍କୁ ନେଇ ଗଠିତ ପେସ୍ ବାହିନୀ ନିକଟରେ ଯଥେଷ୍ଟ ସାମଥ୍ୟ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ କରିବେ ବୋଲି ଆଶାୟୀ ଫ୍ୟାନ୍ସ ।
Comments are closed.