ପୁଣି ରାଜ୍ୟସଭା ନିଲମ୍ବିତ ହେଲେ ଟିଏମସି ସାଂସଦ

ଗତକାଲି ସଂସଦ ଭବନର ସୁରକ୍ଷାରେ ଦେଖାଦେଇଥିବା ବଡ଼ ଧରଣର ବିଭ୍ରାଟ ପାଇଁ ଆଜି ତାତିଛନ୍ତି ବିରୋଧୀ। ସଂସଦରେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭା ରେ ବିରୋଧୀ ପ୍ରବଳ ହଟ୍ଟଗୋଳ, ନାରାବାଜି କରୁଥିବାରୁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ କରୁଥିବା ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ତୁରନ୍ତ ଗୃହ ଛାଡ଼ି ଚାଲିଯିବାକୁ ଡେରେକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସଂସଦ ଭବନର ସୁରକ୍ଷାରେ ତ୍ରୁଟିକୁ ନେଇ ସାଂସଦ ଡେରେକ ଓବ୍ରାଏନ ଆଜି ରାଜ୍ୟସଭା ମଝିକୁ ଚାଲି ଆସି ନାରାବାଜି କରିବା ସହ ହଟ୍ଟଗୋଳ ବି କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧିତ ହୋଇଥିଲା। ତେଣୁ ଗୃହରେ ଅପମାନଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଡେରେକଙ୍କୁ ଚଳିତ ଶୀତକାଳୀନ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା। ସଦନର କାର୍ଯ୍ୟକୁ ବାଧା ପହଞ୍ଚାଇଥବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେଣୁ ଅଧିବେଶନର ଅବଶିଷ୍ଟ ସେସନରୁ ତାଙ୍କୁ ନିଲମ୍ବିତ କରାଯାଇଛି।

Comments are closed.