ବିଶ୍ୱ ହୃଦୟ ଦିବସରେ ଏଥରର ବାର୍ତ୍ତା – ନିଜେ ବଞ୍ଚିବା ସହ ପରିବେଶ ଓ ସମାଜ ବଞ୍ଚାଅ

ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ୁଛି । ସାରା ବିଶ୍ୱ ପାଇଁ ଏହା ଏବେ ଏକ ଚିନ୍ତାର କାରଣ ପାଲଟିଛି । ତେବେ ହୃଦରୋଗ କଣ, ଏହା କିପରି ହୁଏ ଓ ଏହାର ନିରାକରଣ ପାଇଁ କଣ କରାଯାଇପାରିବ ସେନେଇ ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ । ଆସନ୍ତାକାଲି ବିଶ୍ୱ ହୃଦୟ ଦିବସ ଥିବା ବେଳେ ଏହା ପୂର୍ବରୁ ଓଡିଶାର ପ୍ରଖ୍ୟାତ ହୃଦରୋଗ ଚିକିତ୍ସାକେନ୍ଦ୍ର କାର୍ଡିଓ କେୟାର ସେଣ୍ଟର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସିସିସି ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା. ଜେ କେ ପାଢ଼ୀ ହୃଦରୋଗ ନେଇ ଚିନ୍ତାପ୍ରକଟ କରିବା ସହ ଏ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ ।

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ । ୱାର୍ଲ୍ଡ ହାର୍ଟ ଫେଡେରେସନ ତରଫରୁ ଏହି ଦିବସ ପାଳନ କରାଯାଉଛି । ଏବର୍ଷର ଥିମ ରହିଛି – ୟୁଜ୍ ୟୋର୍ ହାର୍ଟ ଟୁ ପ୍ରୋଟେକ୍ଟ ଦି କମ୍ୟୁନିଟି, ପ୍ରୋଟେକ୍ଟ ଦି ନେଚର ଆଣ୍ଡ ପ୍ରୋଟେକ୍ଟ ୟୋରସେଲ୍ଫ । ଅର୍ଥାତ ପରିବେଶ , ସମାଜ ସହିତ ନିଜକୁ ବଞ୍ଚାଇବା । ଏଥିସହ ହାର୍ଟ ସମ୍ବନ୍ଧିତ ରୋଗଗୁଡିକୁ କମାଇବା ଦିଗରେ ଧ୍ୟାନ ଦେବା ।

ସମାଜରେ ହୃଦରୋଗ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ଦରକାର । ସାହସର ସହ ଏହି ରୋଗକୁ ମୁକାବିଲା କରିବାକୁ ପଡିବ । ରୋଗକୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଯାଇପାରିବ । ସଚେତନତା ସୃଷ୍ଟି ହେଲେ ହିଁ ଏ ଦିଗରେ ସମାଜର ସୁରକ୍ଷା ହୋଇପାରିବ । ସେହିଭଳି ଆଜିକାଲି ପରିବେଶ ଦୂଷିତ ହୋଇ ଉଠୁଥିବା ବେଳେ ସ୍ୱଚ୍ଛ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଲାଣି । ଦୂଷିତ ଜଳବାୟୁ ଓ ପ୍ରଦୂଷଣ ପାଇଁ ଲୋକେ ହୃଦରୋଗରେ ପଡିବାର ସମ୍ଭାବନା ରହିଛି । ବାୟୁ ପ୍ରଦୂଷଣ କମାଇବା ପାଇଁ ହେଲେ ସାଇକେଲର ବହୁଳ ବ୍ୟବହାର ଓ ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବାକୁ ପଡିବ । ଗାଡିରୁ ନିର୍ଗତ ଧୂଆଁ କମାଇବା ପାଇଁ ଗାଡିର ବ୍ୟବହାର କମାଇବାକୁ ପଡିବ ।

ଅନ୍ୟପଟେ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରିବା ଉଚିତ । ଇମୋସନାଲ ନହୋଇ ଯୋଗ ଧ୍ୟାନ କରିବା ସହ ସୁଷମ ଖାଦ୍ୟ ଖାଇବାକୁ ପଡିବ । ଫଳ, ମାଛ, ଶାଗ, ପନିପରିବା ଖାଇବା ସହିତ ମାଂସ ଓ ଅଣ୍ଡା ଖାଦ୍ୟକୁ କମ୍ ଖାଇବାକୁ ପଡିବ । ଅଫିସ ଓ ଘରେ ଷ୍ଟ୍ରେସ୍ ଫ୍ରି ରହିବା ସହ କାମ ଚାପକୁ କମାଇବାକୁ ପଡିବ । ମନରେ ଶଙ୍କା, ମୁଣ୍ଡରେ ଚିନ୍ତା ଓ ଶରୀରରେ ଆଳସ୍ୟ ରୋଗର ମୂଳ କାରଣ । ତେଣୁ ଏ ଦିଗରେ ଯତ୍ନବାନ ହେବା ସହ ପ୍ରତିଦିନ ଶାରିରୀକ ପରିଶ୍ରମ ଓ ବ୍ୟାୟାମ କରିବା ଜରୁରୀ । ଏ ସବୁ ପ୍ରତି ଗୁରୁତ୍ୱ ଦେଲେ ହୃଦଘାତ ଓ ହୃଦରୋଗକୁ ଏଡେଇ ଦେଇହେବ ବୋଲି ବରିଷ୍ଠ ଡାକ୍ତର ଜେ କେ ପାଢ଼ୀ କହିଛନ୍ତି ।

Comments are closed.