ଅଯୋଧ୍ୟାରେ ନିର୍ମାଣ ହେବ ଆଉ ୧୩ ମନ୍ଦିର

ଅଯୋଧ୍ୟାରେ ବିରାଜି ସାରିଛନ୍ତି ପ୍ରଭୁ ଶ୍ରୀ ରାମ। ରାମଲଲାଙ୍କ ସାଧାରଣ ଦର୍ଶନ ମଧ୍ୟ ଆରମ୍ଭ ହୋଇସାରିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଭିଡ ଜମାଇଛନ୍ତି। ତେବେ ନୂଆ ରାମ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇନାହିଁ। ଏହା ଅର୍ଦ୍ଧନିର୍ମିତ ରହିଛି। ମନ୍ଦିରର ଅନେକ କାମ ବାକି ଅଛି। ମୁଖ୍ୟ ମନ୍ଦିରର କେବଳ ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି। ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଚାଲିଛି। ତା’ପରେ ମନ୍ଦିରର ଶିଖର ନିର୍ମାଣ କରାଯିବ। ଅଯୋଧ୍ୟାକୁ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଥିଲାଗି ରାମ ମନ୍ଦିର ପରିସର ଭିତରେ ଓ ବାହାରେ ଆହୁରି ୧୩ଟି ମନ୍ଦିର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

ରିପୋର୍ଟ ମୁତାବକ, ରାମନ୍ଦିରର ବେଢ଼ା ବା ପରିସରରେ ୬ଟି ମନ୍ଦିର ତିଆରି ହେବ। ସେହିପରି ବାହାରେ ୭ଟି ମନ୍ଦିର ନିର୍ମାଣ କରାଯିବ। ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୁରୁଦେବ ଗିରି କହିଛନ୍ତି, ମୁଖ୍ୟ ମନ୍ଦିର ନିର୍ମାଣ ଶେଷ କରିବା ସମେତ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି।

ସୂଚନା ଅନୁଯାୟୀ, ପୂର୍ବରୁ ସ୍ଥାପିତ ମୂର୍ତ୍ତିଗୁଡ଼ିକୁ ମଧ୍ୟ କିଛି ପରିମାଣରେ ଫିନିସିଂ କରି ପଲିସ୍ କରିବାକୁ ପଡିବ। ଦ୍ୱିତୀୟ ମହଲାରେ ରାମଙ୍କ ପରିବାର ସ୍ଥାପନ କରାଯିବ। ସୂଚନାନୁସାରେ, ରାମ-ସୀତା ଦ୍ୱିତୀୟ ମହଲାରେ ବିରାଜମାନ ହେବ। ସେମାନଙ୍କ ସହିତ ଭାରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

Comments are closed.