ତେରେଛା ବାଣ ମାରିଲେ ଡି ଶିବକୁମାର, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ :ମୁଖ୍ୟମନ୍ତ୍ରୀ ପଦ କାହାର ପୈତୃକ ସମ୍ପତ୍ତି ନୁହେଁ। ତେଣୁ ଏହାକୁ ନେଇ ଭାଗବଣ୍ଟା ଅସମ୍ଭବ । ଭାଇ ଭାଇ ମଧ୍ୟରେ ପୈତୃକ ସମ୍ପତ୍ତିକୁ ଭାଗ ବଣ୍ଟା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନକୁ ଭାଗ ଭାଗ କରିବା ସମ୍ଭବ ନୁହେଁ। ’ କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏପରି ତେରଛା ବାଣ ମାରିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର ।

କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଉଭୟ ସିଦ୍ଦରମୈୟା ଓ ଡିକେ ଶିବକୁମାର ଙ୍କୁ କିପରି ସନ୍ତୁଷ୍ଟ କରାଯିବ ତାହା ଏବେ କଂଗ୍ରେସ ନେତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପରି ସ୍ଥିତିରେ ଶିବ କୁମାରଙ୍କ ଏପରି ମନ୍ତବ୍ୟ ଭାଗବଣ୍ଟାର ପ୍ରଶ୍ନ ଉଠୁ ନ ଥିବା ସୂଚାଉଛି। ତେଣୁ କଂଗ୍ରେସ ପ୍ରେସିଡେଣ୍ଟ ମଲ୍ଲିକାର୍ଜ୍ଜୁନ ଖଡଗେ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

କର୍ଣ୍ଣାଟକାରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ଗତକାଲି ସିଦ୍ଦରମୈୟା ଦିଲ୍ଲୀ ଗସ୍ତ କରିଛନ୍ତି। ଏହାପରେ ଆଜି ସକାଳୁ ଶିବକୁମାର ବି ରାଜଧାନୀମୁହାଁ ହୋଇଛନ୍ତି। ଆଇସିସି ଜେନେରାଲ ସେକ୍ରେଟାରୀ ଡାକିଥିବାରୁ ଏକୁଟିଆ ଦିଲ୍ଲୀ ଯାଉଥିବା କହିଛନ୍ତି ଶିବ କୁମାର। ସେଠାରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ତଥା କଂଗ୍ରେସ ପ୍ରେସିଡେଣ୍ଟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସହ ଆଲୋଚନା ହେବ ବୋଲି ଉଭୟ ନେତା ସ୍ପଷ୍ଟ କରିଛନ୍ତି।

ଗତକାଲି ଶିବକୁମାରଙ୍କ ଜନ୍ମଦିନ ଥିବା ବେଳେ ସେ ନିଜ ସମର୍ଥକଙ୍କ ସହ କର୍ଣ୍ଣାଟକାରେ ଏହାକୁ ସେଲିବ୍ରେଟ କରିଥିଲେ। ତେଣୁ ସେ ଦିଲ୍ଲୀ ଯାଇ ନ ଥିଲେ। ଏହା ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ କର୍ଣ୍ଣାଟକାରେ କଂଗ୍ରେସ ପାଇଁ କାମ କରିବି ବୋଲି ସୋନିଆ ଗାନ୍ଧି ଓ ମଲିକାର୍ଜ୍ଜୁନେ ଖଡଗେଙ୍କୁ ପ୍ରତିଶ୍ରୁତି ଦେଇଛି। ମୁଁ ମୋ’ ନିଜ ପ୍ରତିଶ୍ରୁତି ରକ୍ଷା କରିବି। ଏବେ ସେମାନେ କ’ଣ ନିଷ୍ପତ୍ତି ନେବେ ତାହା ସେମାନଙ୍କ ଉପରେ ନିର୍ଭର କରେ।

Leave A Reply

Your email address will not be published.