ଏହି ୫ ଜିଲାକୁ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲ୍‌ମାର୍କଡ ଲୋ-ପ୍ରେସରର ରୂପ ନେବା ପରେ ବାଂଲାଦେଶ ଉପକୂଳମୁହାଁ

ହେବ। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ଦୁଇଦିନ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ରହିଛି। କିନ୍ତୁ ୨୩ରୁ ଉତ୍ତର ଓଡ଼ିଶାରେ ୭୦ରୁ ୧୧୦ ମି.ମି. ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି।

 

ତେବେ ୨୩ ତାରିଖରୁ ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିଭଳି ଆସନ୍ତା ୫ଦିନ ପର୍ଯ୍ୟନ୍ତ ବଜ୍ରପାତ ଜାରି ରହିବ। ବିଶେଷକରି ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବର୍ଷା ଯୋଗୁ ଅଚାନକ ପାଣି ମାଡ଼ି ଆସିପାରେ ଏବଂ ଜଳବନ୍ଦୀ ସ୍ଥିତି ହେବା ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଧସିବାର ଆଶଙ୍କା ଥିବାରୁ ସଜାଗ ରହିବାକୁ କୁହାଯାଇଛି। ବିଭିନ୍ନ କେନାଲ ଓ ନଦୀବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ଯିବା ପାଇଁ ବାରଣ କରାଯାଇଛି। କାରଣ ଏହି ଦୁଇଦିନ ଘଣ୍ଟା ପ୍ରତି ପବନ ୩୫ରୁ ୪୫ କି.ମି. ବେଗରେ ବୋହିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ରବିବାର ଭଦ୍ରକ ଓ ଯାଜପୁରରେ ସର୍ବାଧିକ ୩୦ ମି.ମି.ବର୍ଷା ହୋଇଥିବାବେଳେ ସୁନ୍ଦରଗଡ଼ରେ ୨୦.୬, ଝାରସୁଗୁଡ଼ା ୨୦.୨, ତାଳଚେର ୧୮, କେନ୍ଦୁଝର ୧୦.୩, ଜଗତ୍‌ସିଂହପୁର ୧୦.୨ ଓ ବାଲେଶ୍ୱରରେ ୯.୧ ମି.ମି. ବର୍ଷା ରେକର୍ଡ କରାଯାଇଛି।

Comments are closed.