ଦୁଇ ରାଜ୍ୟର ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନିର୍ବାଚିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗରେ ଫସିଥିବା ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଦୁଇ ରାଜ୍ୟର ରାଜ୍ୟପାଳ ରାଜ୍ୟ ସରକାର ପାରିତ କରିଥିବା ବିଲ୍‌ ଉପରେ ମୋହର ମାରିବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। ଏହା ଉପରେ ଶୁଣାଣି କରୁଥିବା ବେଳେ ସର୍ବୋଚ୍ଚ ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଉଭୟ ରାଜ୍ୟର ରାଜ୍ୟପାଳଙ୍କୁ ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ଉପରେ ମୋହର ମାରିବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ ବୋଲି କହିଛନ୍ତି।

ସିଜେଇଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ ନିର୍ବାଚିତ ବିଧାନସଭା ଦ୍ୱାରା ପାରିତ ବିଲ୍‌କୁ ଦୟା କରି ଚାପି ରଖନ୍ତୁ ନାହିଁ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାର ବିଷୟ। ଆପଣମାନେ ନିଆଁ ସହିତ ଖେଳୁଛନ୍ତି। ଜଣେ ରାଜ୍ୟପାଳ କେମିତି ଏଭଳି ଭାଷା ବା କଥା କହିପାରିବେ? ପଞ୍ଜାବରେ ଏବେ ଯାହା ସବୁ ହେଉଛି, ସେଥିରେ ଆମେ ଆଦୌ ଖୁସି ନାହୁଁ। କ’ଣ ଆମେ ସଂସଦୀୟ ଗଣତନ୍ତ୍ରକୁ ଚାଲୁ ରଖିପାରିବା ନାହିଁ? ଆମ ଦେଶ ପ୍ରଚଳିତ ପରମ୍ପରା ଆଧାରରେ ଚାଲିଥାଏ। ଏହାକୁ ପାଳନ କରିବା ପାଇଁ ସମସ୍ତେ ବାଧ୍ୟ।”

ଶୁଣାଣି ବେଳେ ପଞ୍ଜାବ ସରକାରଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ “ବର୍ତ୍ତମାନ ଯିଏ ରାଜ୍ୟପାଳ ଅଛନ୍ତି, ତାଙ୍କ ସମୟରେ ବିଧାନସଭାର ଅଧିବେଶନ ଡାକିବା ଏକପ୍ରକାରର ଅସମ୍ଭବ।” ଏହା ଶୁଣି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ପଞ୍ଜାବ ରାଜ୍ୟପାଳଙ୍କ ଓକିଲଙ୍କୁ କହିଥିଲେ ଯେ “ଯଦି ବିଧାନସଭାର କୌଣସି ଅଧିବେଶନକୁ ଅବୈଧ ଘୋଷଣା କରାଯାଉଛି, ତଥାପି ବିଧାନସଭା ଦ୍ୱାରା ପାରିତ ବିଲ୍‌ କେମିତି ବେଆଇନ ବୋଲି କୁହାଯିବ?”

Comments are closed.