ଉପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ରାଜ୍ୟପାଳ ଭିକେ ସକ୍ସେନା ରାଜନୀତି କଳହରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ସେମାନେ ଲାଗି ରହିଥିବା ଅଚଳାବସ୍ଥାକୁ ମିଳିତ ଭାବେ ଦୂର କରିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଦାୟିତ୍ୱ ଉପ ରାଜ୍ୟପାଳଙ୍କ ହାତରେ ରଖିବା ପାଇଁ ଗୋଟିଏ ଅଧ୍ୟାଦେଶ ଆଣିଛନ୍ତି।

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଥମେ ପ୍ରଶାସନିକ କ୍ଷମତା ଦେଇଥିଲେ। ଏହାକୁ ମାତ ଦେବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି। ଏଥିରେ ଦିଲ୍ଲୀ ବିଦ୍ୟୁତ ପ୍ରାଧିକରଣ କମିଶନଙ୍କ ନିଯୁକ୍ତି ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି।

ଏହାକୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହାର ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ଅଚଳାବସ୍ଥା ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଅଚଳାବସ୍ଥା ଦୂର କରିବାକୁ ଆମେ ଗୋଟିଏ ପ୍ରସ୍ତାବ ଦେବାକୁ ଚାହୁଁଛୁ। ଉପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏକାଠି ବସି ପାରିବେ ଓ ସହମତି ଭିତ୍ତିରେ ପ୍ରାର୍ଥୀ ଦେଇପାରିବେ? ସହମତି ଭିତ୍ତିରେ ଚୟନ ହୋଇଥିବା ବ୍ୟକ୍ତି ଦିଲ୍ଲୀ ବିଦ୍ୟୁତ ପ୍ରାଧିକରଣ କମିଶନ ପଦରେ ନିଯୁକ୍ତ ହୋଇପାରିବେ। ସବୁଠାରୁ ଭଲ ସ୍ଥିତି ହେଲା ଡିଇଆରିସି ଅଧ୍ୟକ୍ଷ ନାଁ ସହମତି ଭିତ୍ତିରେ ଚୟନ କରାଯାଉ। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନୁ। ଆମ ଚାହୁଁଛୁ ଯେ ଆପଣମାନେ ଏକାଠି ବସନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ।”

Comments are closed.