ବଢ଼ିଲା କଂଗ୍ରେସ ବିଧାୟକ ମୋକିମଙ୍କ ଅଡ଼ୁଆ

ଭୁବନେଶ୍ୱର :କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ୨୦୧୯ ନିର୍ବାଚନ ବେଳେ ନାମାଙ୍କନପତ୍ରରେ ଆପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବା ଓ ଜାଣିଶୁଣି କେତେକ କାଟେଗୋରିକୁ ଛାଡ଼ି ଯାଇଥିବା ଅଭିଯୋଗରେ ମୋକିମ୍‌ଙ୍କ ବିଧାୟକ ପଦକୁ ରଦ୍ଦ କରିଦିଆଯାଇଛି। ସୂଚନା ଦିଆଯାଇପାରେ ଯେ, ସେତେବେଳେ ମୋକିମ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ବର୍ତ୍ତମାନର ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଏବର ରାୟ ଅନୁଯାୟୀ ମୋକିମ୍‌ ବର୍ତ୍ତମାନର କଟକ-ବାରବାଟୀ ବିଧାୟକ ନୁହନ୍ତି କିମ୍ବା ପୂର୍ବତନ ବିଧାୟକ ଭାବେ ଅଭିହିତ ହୋଇପାରିବେ ନାହିଁ। ନିର୍ବାଚନକୁ କିଛିଦିନ ଥିବା ବେଳେ ହାଇକୋର୍ଟଙ୍କ ଛାଟ ମୋକିମ୍‌ଙ୍କ ଅଡ଼ୁଆ ବଢ଼ାଇ ଦେବା ସ୍ବାଭାବିକ।

ବିଧାୟକ ପଦ ରଦ୍ଦ ହେବା ପରେ କଟକର ରାଜନୈତିକ ପାଣିପାଗ ରୋଚକ ହେବା ସହ ସାଧାରଣରେ ଏ ନେଇ ଟୁପୁରୁଟାପୁର ଆରମ୍ଭ ହୋଇଯାଇଛି। ଏପରି ରାୟ ଆସିବା ଫଳରେ ଆସନ୍ତା ନିର୍ବାଚନରେ ଦଳ ମୋକିମଙ୍କୁ ଟିକେଟ ଦେବ କି ନାହିଁ କଥା ଉଠିଲାଣି। ଯଦି କଂଗ୍ରେସ ଟିକେଟ୍‌ ଦେବ, ତେବେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭୋଟର କେତେଦୂର ତାଙ୍କ ଉପରେ ଭରସା କରିବେ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, ବହୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିବାରେ ମୋକିମ ସର୍ବଦା ଆଗରେ ରହିଛନ୍ତି। ହେଲେ ନିର୍ବାଚନରେ ନିଜର ଆପରାଧିକ ତଥ୍ୟ ନ ଦେଇ ଲୁଚାଇ ରଖିବା ଯୋଗୁ ସେ ସାଧାରଣରେ ସମାଲୋଚିତ ହୋଇଛନ୍ତି। କେତେ ଜଣ କହିବା ଆରମ୍ଭ କଲେଣି ଯେ, ନିର୍ବାଚନ ସମୟରେ ମୋକିମ ଆପରାଧିକ ତଥ୍ୟ ପ୍ରଦାନ କରିଥିଲେ ହୁଏତ ସାଧାରଣ ଲୋକ ତାଙ୍କୁ ଭୋଟ ନ ଦେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ସେତେବେଳେ ପ୍ରତିଦ୍ୱନ୍ଦୀ ଥିବା ପ୍ରାର୍ଥୀଙ୍କୁ ବିଜୟୀ କରାଇଥାଆନ୍ତେ।

ପ୍ରସଙ୍ଗ ନେଇ ମାମଲା କରିଥିବା ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୯ ନିର୍ବାଚନରେ ତାଙ୍କୁ ମିଶାଇ ଅନ୍ୟ ପ୍ରାର୍ଥୀଙ୍କ ସହ ଅନ୍ୟାୟ ହୋଇଛି। ସାଧାରଣ ଲୋକ ଯିଏ ଭୋଟ ଦେଇ ଆମକୁ ବିଜୟୀ କରାଉଛନ୍ତି ସେମାନଙ୍କୁ ତଥ୍ୟ ଲୁଚାଇ ରଖିବା ନିନ୍ଦନୀୟ ଘଟଣା। ବଡ଼ କଥା ହେଉଛି କି ଯାଞ୍ଚ ସମୟରେ ଯେଉଁ ରିଟର୍ନିଂ ଅଫିସର ରହିଥିଲେ ତାଙ୍କ ସହ ମୋକିମ ହୁଏତ ସଲାସୁତରା କରିଛନ୍ତି; ଯେଉଁଥିପାଇଁ ରିଟର୍ନିଂ ଅଧିକାରୀ ସମସ୍ତ ଘଟଣା ଜାଣି ମଧ୍ୟ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ନ ଥିଲେ। ହେଲେ ଏହି ସତ୍ୟ ସାମ୍ନାକୁ ଆଣି ହାଇକୋର୍ଟ ପ୍ରମାଣିତ କରିଛନ୍ତି ବୋଲି ଦେବାଶିଷ କହିଛନ୍ତି। ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ସେ ସଚେତନ କରାଇଥିଲେ ଯେ, ମୋକିମ ଜଣେ ଅପରାଧୀ। ତାଙ୍କ ନଁାରେ ବହୁ ମାମଲା ରହିଛି। ହେଲେ ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ନ ଥିଲେ। ଏବେ ଲୋକେ ଠିକ୍‌ ବୁଝି ସାରିଛନ୍ତି। ଏଭଳି କଳଙ୍କିତ ବ୍ୟକ୍ତିଙ୍କୁ ଲୋକେ ଭୋଟ ଦେବା ପୂର୍ବରୁ ବିଚାର କରନ୍ତୁ। ମୋକିମ୍‌ ଆଗାମୀ ନିର୍ବାଚନ ନ ଲିଢିବାକୁ ଭାବିବା ଦରକାର। କାରଣ ସେ ଯଦି ଦୋଷୀ ଓ ପ୍ରକୃତରେ ତାଙ୍କର ଆତ୍ମସମ୍ମାନ ଥିବ, ତେବେ ସେ ନିର୍ବାଚନ ଲଢିବା କଥା ଭାବିବେ ନାହିଁ ବୋଲି ଦେବାଶିଷ କହିଛନ୍ତି।

ମୋକିମ୍‌ କହିଛନ୍ତି, ୨୦୧୯ ଅବଧିରେ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇସାରିଛି। ୨୦୨୪ ନିର୍ବାଚନ ପାଇ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ନିର୍ବାଚନ ଲଢ଼ି ଉଚିତ ଜବାବ ଦେବେ। ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ତେଣୁ ସେ ତାଙ୍କ ଆଇନଜୀବୀଙ୍କ ସହ ପରାମର୍ଶ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ମୋକିମ୍‌ କହିଛନ୍ତି।

Comments are closed.