ଅଙ୍କୁର ତରଫରୁ “ପକ୍ଷୀ ପାଇଁ ବସାଟିଏ” କାର୍ଯ୍ୟକ୍ରମ ଉଦ୍ଘାଟିତ
ଭୁବନେଶ୍ବର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇଚାଲିଛି। ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ “ଅଙ୍କୁର ଫାଉଣ୍ଡେସନ” ତରଫରୁ “ପକ୍ଷୀ ପାଇଁ ବସାଟିଏ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଆଇଆରସି ଭିଲେଜ ସ୍ଥିତ ବିଏମସି ପାର୍କରେ ଆୟୋଜିତ ଏହି ଅଭିନବ କାର୍ଯକ୍ରମକୁ ୧୧, ଜୁନ ସକାଳେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ପକ୍ଷୀଙ୍କୁ ସୁରକ୍ଷିତ ଆବାସ ଦେବା ଲାଗି ଏହି ଯୋଜନା ସମସ୍ତଙ୍କ ଲାଗି ଅନୁକରଣୀୟ ହେବା ଉଚିତ ବୋଲି ଶ୍ରୀମତି ଦାସ କହିଥିଲେ।
ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ଏକ ବଡ ପଦକ୍ଷେପ ବୋଲି କହିଥିଲେ।

ଆଗାମୀ ଦିନରେ ପକ୍ଷୀଙ୍କ ବସା ଓ ଆହାର ଯୋଗାଇବାକୁ ରାଜଧାନୀର ବିଭିନ୍ନ ପାର୍କରେ ଏହି କାର୍ଯକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ଅଙ୍କୁର ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଥିଲେ। ରାଜଧାନୀ ସମେତ ରାଜ୍ୟରେ ଏହାକୁ ଏକ ଜନ ଆଂଦୋଳନର ରୂପ ଦେବାକୁ ଆମେ ପ୍ରୟାସ କରିବୁ ବୋଲି ଶ୍ରୀମତୀ ପଣ୍ଡା ଏହି ଅବସରରେ ଘୋଷଣା କହିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ଓ ସଂଗଠକ ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅୟସ୍କାନ୍ତ ମିଶ୍ର, ସୁମିତ୍ରା ପାଢୀ ପ୍ରମୁଖ ସହଯୋଗ କରିଥିଲେ।
Comments are closed.