କ୍ଷମା ମାଗିଲେ ମନ୍ତ୍ରୀ

ନୂଆଦିଲ୍ଲୀ : ନେତା ଜଣକ ହେଉଛନ୍ତି ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ଟିଏମ୍‌ସି ନେତା ଅଖିଳ ଗିରି। ତାଙ୍କର ମନ୍ତବ୍ୟର ଭିଡିଓ ଆଜି ଭାଇରାଲ୍‌ ହେବା ପରେ ସବୁଆଡ଼ୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏପରିକି ତାଙ୍କ ଦଳ ଟିଏମ୍‌ସି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି। ଏହାପରେ ଗିରି ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଛନ୍ତି।

ସୂଚନାଯୋଗ୍ୟ ଯେ ଗିରି ଗତକାଲି ସନ୍ଧ୍ୟାରେ ନନ୍ଦିଗ୍ରାମରେ ଏକ ନିର୍ବାଚନ ରୢାଲିରେ କହିଥିଲେ, ‘ସେମାନେ (ବିଜେପି) କହୁଛନ୍ତି ମୁଁ ଦେଖିବାକୁ ଭଲ ନୁହେଁ। ଆମେ କାହାକୁ କାହାର ରୂପକୁ ନେଇ ବିଚାର କରୁନା। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ କରୁ। କିନ୍ତୁ ଆମ ରାଷ୍ଟ୍ରପତି କିପରି ଦେଖିବାକୁ?’ ତାଙ୍କର ଏପରି ଟିପ୍ପଣୀ ସଂକ୍ରାନ୍ତ ୧୭ ସେକେଣ୍ଡର ଏକ ଭିଡିଓ ଭାଇରାଲ ହୋଇଛି। ଗିରିଙ୍କର ଏହି ଟିପ୍ପଣୀ ପାଇଁ ବିଭିନ୍ନ ମହଲରୁ ସେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି।

ବିଜେପି ଏହି ମାମଲାରେ ଆଜି ଟିଏମ୍‌ସିକୁ ଘେରିଛି। ମନ୍ତ୍ରୀ ଗିରିଙ୍କ ଟିପ୍ପଣୀ ଆଦିବାସୀ ବିରୋଧୀ ଚିନ୍ତାଧାରାକୁ ପଦାରେ ପକାଇ ଦେଇଛି ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ଅଖିଳ ଗିରି ଦେଶର ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ଏବଂ ସାଂସଦ ସୌମିତ୍ର ଖାନ୍‌ ମନ୍ତ୍ରୀଙ୍କର ଏଭଳି ଟିପ୍ପଣୀକୁ ଘୃଣ୍ୟ କହିଛନ୍ତି। ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବାପାଇଁ ସେ ଦାବି କରିଛନ୍ତି। ଗିରିଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହ ତାଙ୍କ ଗିରଫ ଦାବି କରି ଆଜି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

Comments are closed.