ଆଜି ବସିବ ଇଣ୍ଡିଆ ମେଣ୍ଟ ବୈଠକ

ଆଜି ବସିବାକୁ ଯାଉଛି ବିରୋଧୀ ମେଣ୍ଟ ଦଳ ଇଣ୍ଡିଆ ବୈଠକ। ଗତକାଲି ଉଭୟ ଲୋକସଭା ଏବଂ ରାଜ୍ୟସଭାରୁ 92 ଜଣ ସାଂସଦଙ୍କୁ ନିଲମ୍ବନ କରାଯିବା ପରେ ଇଣ୍ଡିଆ ବ୍ଲକ୍ ବୈଠକ ଡାକିଛି। ବୈଠକରେ ସିଟ୍ ବଣ୍ଟନ ଏବଂ 2024 ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତ ଉପରେ ଆଲୋଚନା ହେବ।

ନିକଟରେ ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ବୈଠକ ଡାକିଥିଲା। କିନ୍ତୁ ବିଭିନ୍ନ ଦଳର ମୁଖିଆମାନେ ଯୋଗ ଦେଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଗତକାଲି ଶୀତ ଅଧିବେଶନରୁ 79 ଜଣ ସାଂସଦ ନିଲମ୍ବିତ ହେବା ପରେ ହଠାତ୍ ଆଜି ବୈଠକ ବସିବାକୁ ଯାଉଛି।

ଡିସେମ୍ବର 13ରେ ଲୋକସଭାରେ ସ୍ମୋକ୍ ଆଟାକକୁ ନେଇ ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହୋହଲ୍ଲା ଜାରି ରଖିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖନ୍ତୁ ବୋଲି ସାଂସଦମାନେ ଦାବି କରି ପ୍ରବଳ ହଙ୍ଗାମା କରିଥିଲେ। 14 ତାରିଖରେ ରାଜ୍ୟସଭାର ଜଣେ ସାଂସଦଙ୍କୁ ମିଶାଇ ଉଭୟ ଗୃହରୁ 13 ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଗତକାଲି ପୁଣି ଲୋକସଭାରୁ 34 ଜଣ ସାଂସଦ ନିଲମ୍ବନ ହେବାପରେ ରାଜ୍ୟସଭାର 45 ଜଣ ସାଂସଦଙ୍କୁ ସସପେଣ୍ଡ କରିଥିଲେ ଅଧ୍ୟକ୍ଷ ଜଗଦୀଶ ଧନଖଡ।

ଗୋଟିଏ ଅଧିବେଶନରେ ସର୍ବାଧିକ 92 ସାଂସଦ ନିଲମ୍ବିତ ହେବା ପରେ ବିରୋଧୀ ଦଳମାନେ ସକ୍ରିୟ ହୋଇପଡିଛନ୍ତି। ଆଜି ହଠାତ୍ ମେଣ୍ଟ ବୈଠକ ଡକାଇଛନ୍ତି। ଦିଲ୍ଲୀର ଅଶୋକା ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ।

Comments are closed.