ଗୁଲାମଙ୍କ ସହ ଦଳ ଛାଡୁଛନ୍ତି ନେତା

ଜମ୍ମୁ: ଗୁଲାମ୍‌ ନବୀ ଆଜାଦ୍‌ଙ୍କ ପ୍ରତି ସମର୍ଥନ ଜଣାଇ ଆଜି ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ୍‌ଙ୍କ ସମେତ ୫୧ଜଣ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେମାନେ ମିଳିତ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ଏଥିପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦ୍‌ ଓ ପୂର୍ବତନ ମନ୍ତ୍ରୀ ଅବ୍‌ଦୁଲ୍‌ ମଜିଦ୍‌ ୱାନି, ମନୋହର ଲାଲ୍‌ ଶର୍ମା, ଘରୁ ରାମ ଏବଂ ପୂର୍ବତନ ବିଧାୟକ ବଲ୍‌ୱାନ୍‌ ସିଂହ ଆଦି ନେତାମାନେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ବଲ୍‌ୱାନ୍‌ ସିଂହ କହିଛନ୍ତି, ଆଜାଦ୍‌ଙ୍କ ପ୍ରତି ସମର୍ଥନ ଜଣାଇ ଆମେ କଂଗ୍ରେସ ଅଧ୍ୟକ୍ଷାଙ୍କ ନିକଟକୁ ମିଳିତ ଇସ୍ତଫା ପତ୍ର ପଠାଇ ଦେଇଛୁ।

୭୩ ବର୍ଷିୟ ଆଜାଦ୍‌ଙ୍କ ଇସ୍ତଫା ପ୍ରଦାନ ପରେ ଏପର୍ଯ୍ୟନ୍ତ କଂଗ୍ରେସ ପାର୍ଟିରୁ ୬୪ଜଣ ନେତା ଇସ୍ତଫା ଦେଇ ସାରିଲେଣି। ଅବିଳମ୍ବେ ଆଜାଦ୍‌ ଜମ୍ମୁ ଓ କଶ୍ମୀରରୁ ଏକ ଜାତୀୟସ୍ତରୀୟ ଦଳର ଶୁଭାରମ୍ଭ କରିବେ। ଏଥିପାଇଁ ବହୁ ବିଶିଷ୍ଟ କଂଗ୍ରେସ ନେତା ଆଜାଦ୍‌ଙ୍କ ସହିତ ଯୋଗ ଦେଇ ସାରିଲେଣି।

Comments are closed.