ଅପୋଲକୁ ନୋଟିସ ପଠାଇଲା ଆଇଟି ମନ୍ତ୍ରାଳୟ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗୁରୁବାର ଆପଲ୍‌କୁ ଏକ ନୋଟିସ୍ ପଠାଇ ‘ରାଷ୍ଟ୍ର-ପ୍ରାୟୋଜିତ ଆକ୍ରମଣ’ ଦାବିର ପ୍ରମାଣ ଦାଖଲ କରିବାକୁ କହିଛି। ଏ ନେଇ ତୁରନ୍ତ ଜବାବ ଦେବାକୁ ମନ୍ତ୍ରଣାଳୟ ଆପଲ୍‌କୁ କହିଛି। ସୂଚନା ଅନୁଯାୟୀ, ଆଇଟି ମନ୍ତ୍ରଣାଳୟ ଆପଲ୍‌ ପ୍ରତିନିଧିମାନଙ୍କୁ ଏହି ଆକ୍ରମଣ ‘ରାଷ୍ଟ୍ର-ପ୍ରାୟୋଜିତ’ ବୋଲି ସେମାନଙ୍କ ଦାବି ବିଷୟରେ ପଚାରିଛି। ଫୋନ୍‌ଗୁଡ଼ିକୁ ରିମୋଟ୍ ଆକ୍ସେସ୍ କରାଯିବ ଏବଂ ସମ୍ବେଦନଶୀଳ ଡାଟା ଲିକ୍ ହେବ ବୋଲି କେଉଁ ଆଧାରରେ ଆପଲ୍‌ କହୁଛି ମନ୍ତ୍ରଣାଳୟ ପଚାରିଛି।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ତୃଣମୂଳ ସାଂସଦ ମହୁଆ ମୈତ୍ର, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଆପ୍ ସାଂସଦ ରାଘବ ଚଢ଼ା, କଂଗ୍ରେସର ଶଶୀ ଥରୁର, ତାଙ୍କ ଦଳର ଗଣମାଧ୍ୟମ ଓ ପ୍ରଚାର ବିଭାଗ ମୁଖ୍ୟ ପୱନ ଖେରା ଏବଂ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସମେତ ଅନେକ ବିରୋଧୀ ନେତା ସେମାନଙ୍କ ଆଇଫୋନ୍‌କୁ ହ୍ୟାକିଂ ପାଇଁ ଚେଷ୍ଟା କରାଯାଉଥିବା ନେଇ ଆପଲ୍‌ଠାରୁ ସତର୍କ ସୂଚନା ପାଇଥିବା ଦାବି କରିଥିଲେ। ସେମାନେ ନିଜ ନିଜ ଏକ୍ସ ହ୍ୟାଣ୍ଡେଲରେ ମେସେଜର ସ୍କ୍ରିନ୍ ସଟ୍ ମଧ୍ୟ ପୋଷ୍ଟ କରିଥିଲେ। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜଣେ ରାଜନୈତିକ ସହଯୋଗୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦୁଇ ଜଣ ଅଧିକାରୀ କହିଛନ୍ତି ଯେ ରାଜନେତାମାନେ ଉଠାଇଥିବା ସମସ୍ତ ସାଇବର ସୁରକ୍ଷା ପ୍ରଶ୍ନ ଉପରେ ଯାଞ୍ଚ କରାଯାଉଛି। ବୁଧବାର ବିରୋଧୀମାନେ ଆପଲ ଆଲର୍ଟ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ଏବଂ ମୈତ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏ ବିଷୟରେ ଚିଠି ଲେଖିଥିଲେ।

Comments are closed.