ସତ କହିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କହିଲେ ହାଇକୋର୍ଟ

କୋଲକାତା: ସ୍ବାଧୀନତା ଦିବସରେ ହୁଗୁଳି ଜିଲ୍ଲାରେ ଜାତୀୟପତାକାକୁ ଅସମ୍ମାନିତ କରାଯାଇଥିଲା। ଏହା ଉପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କାଲ୍‌କାଟା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ ଏହା ଉପରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ହୁଗୁଳି ଜିଲ୍ଲାରେ ଏକ ବିଦ୍ୟାଳୟରେ ସ୍ବାଧୀନତା ଦିବସରେ ଜାତୀୟପତାକାକୁ ଅସମ୍ମାନିତ କରାଯାଇଥିଲା। ଏହାକୁ ନେଇ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। କିନ୍ତୁ ଏହି ହିଂସାକାଣ୍ଡରେ ମହିଳାଙ୍କ ସମେତ ପୀଡ଼ିତ ଲୋକମା‌ନଙ୍କୁ ଗିରଫ କରାଯାଇଛି।

ଏହି ଘଟଣା ଉପରେ ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ୍ ଓ ଜଷ୍ଟିସ୍ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜାତୀୟପତାକାକୁ ଅସମ୍ମାନିତ କରିବା ଓ ହିଂସାକାଣ୍ଡ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ରାଜ୍ୟ ସରକାର ଏପରି କୌଣସି ଘଟଣା ଘଟିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏହା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି, ଯଦି ଜାତୀୟ ପତାକାକୁ ଅସମ୍ମାନିତ କରାଯିବା ଭଳି କୌଣସି ଘଟଣା ଘଟି ନାହିଁ, ତେବେ ୧୬-୧୭ ଜଣ ଲୋକଙ୍କୁ କାହିଁକି ଗିରଫ କରାଯାଇଛି? ରାଜ୍ୟ ସରକାର ଘଟଣାକୁ ନ ଲୁଚାଇ ସତକଥା ପ୍ରକାଶ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ କୋର୍ଟ କହିଛନ୍ତି- ଦୟାକରି ସତକଥା କୁହ।

Comments are closed.