ତିନି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରା ଏବଂ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟ୍‌ ଗ୍ରହଣ ହେବ। ମାର୍ଚ୍ଚ ୨ ତାରିଖରେ ଫଳାଫଳ ଆସିବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏହି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ସହ ସମସ୍ତ ୩ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ୩ ରାଜ୍ୟରେ ବିଧାନସଭା ନିର୍ବା‌ଚନ ସହ ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଲାକ୍ଷାଦ୍ବୀପ ଏବଂ ତାମିଲନାଡ଼ୁରେ ଫେବ୍ରୁଆରି ୨୭ରେ ଉପନିର୍ବାଚନ ଅଛି। ବିଧାନସଭା ନିର୍ବାଚନ ଫଳ ସହ ଉପନିର୍ବାଚନ ଫଳ ମଧ୍ୟ ମାର୍ଚ୍ଚ ୨ରେ ପ୍ରକାଶ ପାଇବ।

ନିର୍ବାଚନ କମିସନ ହିଂସାମୁକ୍ତ ନିର୍ବାଚନ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ନିର୍ବାଚନ ହେବାକୁ ଥିବା ୩ ଉତ୍ତରପୂର୍ବ ରାଜ୍ୟରେ ମୋଟ୍‌ ୬୨.୮ଲକ୍ଷ ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ୨.୨୮ ‌ଲକ୍ଷ ନୂଆ ଭୋଟର ଯୋଡ଼ି ହୋଇଛନ୍ତି। ୯୭ ହଜାର ଭୋଟରଙ୍କ ବୟସ ୮୦ରୁ ଅଧିକ। ୩୨,୭୦୦ ଭୋଟର ଦିବ୍ୟାଙ୍ଗ ଭୋଟର୍‌ ଥିବା ବେଳେ ୨୬୦୦ ଭୋଟରଙ୍କ ବୟସ ୧୦୦ରୁ ଅଧିକ। ମା‌ର୍ଚ୍ଚ ୧୨ ତାରିଖରେ ନାଗାଲାଣ୍ଡ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ମେଘାଳୟ ଏବଂ ତ୍ରିପୁରା ବିଧାନସଭା କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୫ ଏବଂ ମାର୍ଚ୍ଚ ୨୨ ତାରିଖରେ ଶେଷ ହେଉଛି।

Comments are closed.