ଆଜି ବରଗଡବାସୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ
ବରଗଡ: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ଯସେବାରେ ନୂଆ ଅଧ୍ଯାୟ । ଆଜି ଲୋକାର୍ପିତ ହେବ ବରଗଡ଼ କ୍ଯାନସର ହସପିଟାଲ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୫ ମହଲା ବିଶିଷ୍ଟ ଏକ ବିରାଟ କ୍ୟାନ୍ସର ହସ୍ପିଟାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ନିର୍ମାଣ ହୋଇଛି ଏହି ହସ୍ପିଟାଲ ।
୨୦୧୯ ମସିହାରେ ସୋହେଲା ଠାରେ ଆୟୋଜିତ ଏକ ସଭାରେ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ଆଜି ବାସ୍ତବରୂପ ନେବାକୁ ଯାଉଛି । କ୍ଯାନ୍ସର ହସପିଟାଲରେ ରହିଛି ୧୦୦ ଶଯ୍ୟା । ଇନଡୋର ୱାର୍ଡ ପାଇଁ ୪୦ ଶଯ୍ୟା, ଡେ- କେୟାର କେମୋଥେରାପି ପାଇଁ ୨୦ ଶଯ୍ୟା , ଆଇସିୟୁ ପାଇଁ ୬ ଶଯ୍ୟା, ହାଇ ଡିପେନ୍ଡେସି ଇଉନିଟ୍ ପାଇଁ ୬ ଶଯ୍ୟା, ପ୍ରି-ସର୍ଜରୀ ପାଇଁ ୬ ଟି, ପୋଷ୍ଟ୍ ସର୍ଜରୀ ପାଇଁ ୬ଟି ଶଯ୍ଯା।
ସେହିପରି ଆଇସୋଲେସନ୍ ଶଯ୍ୟା ୪ ଟି ଥିବାବେଳେ ୧୨ ଟି କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ରେଡିଏନ୍ସ ଅଙ୍କୋଲୋଜିଷ୍ଟ, ମେଡିକାଲ ଅଙ୍କୋଲୋଜିଷ୍ଟ, ପାଲୋଜିଷ୍ଟ, ସର୍ଜରୀ ସ୍ପେସିଆଲିଷ୍ଟ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, କର୍ଣ୍ଣ-ନାଶା-ଗଳା ବିଶେଷଜ୍ଞ, ଦାନ୍ତ ରୋଗ ବିଶେଷଜ୍ଞ, ମେଡିସିନ ସ୍ପେସିଆଲିଷ୍ଟ, ରେଡିଏଂଶ ଟେକ୍ନୋଲୋଜିଷ୍ଟ , ଫାର୍ମାସିଷ୍ଟ, ଲ୍ଯାବ ଟେକ୍ନିସିଆନ ଓ ନର୍ସିଂ ଅଫିସରର ଆଦି ନିଯୁକ୍ତି ପାଇସାରିଛନ୍ତି ।
ସେହିଭଳି ୨୨ କୋଟି ୭୮ ଲକ୍ଷ ଟଙ୍କା ବିନିମୟରେ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ୫୯ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ସହ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.