ଖାଉଟିଙ୍କୁ ପୁଣି ଡାଲି ଝଟକା

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ରୋଷେଇ‌ ଘରେ ବ୍ୟବହାର ହେଉଥିବା ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବାରେ ଲାଗିଛି। ଚାଉଳ, ପନିପରିବା, ଗହମ, ଟମାଟୋ, ଡାଲି ଦରବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଖୁବ୍‌ଶୀଘ୍ର ଚିନି ଓ ଖାଇବା ତେଲ ମଧ୍ୟ ମହଙ୍ଗା ହେବ ହେବାର ସଙ୍କେତ ମିଳିଛି। ଯଦିଓ ଦରବୃଦ୍ଧି ଲାଗି ଟମାଟୋ ଏବେ ଖବରର ଶିରୋନାମାରେ ରହିଛି, କିନ୍ତୁ ଆହୁରି ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏତେ ବଢ଼ିଛି ଯାହା ଯେକୌଣସି ପରିବାର ଲାଗି ସମସ୍ୟା ଭାବେ ଉଭା ହୋଇଛି।

ପନିପରିବା ଦରବୃଦ୍ଧିର ମୁକାବିଲା କରିବାକୁ ସଂଘର୍ଷ କରୁଥିବା ଭାରତୀୟ ପରିବାର ଉପରେ ଡାଲି ଏବେ ଅତିରିକ୍ତ ବୋଝ। ଆନ୍ତର୍ଜାତିକ ବଜାରରେ ଡାଲି ମହଙ୍ଗା ହେବା ପରେ ଚଳିତ ସପ୍ତାହରେ ଦେଶର ପାଇକାରୀ ବଜାରରେ ଡାଲି ମୂଲ୍ୟ ୨-୩ ପ୍ରତିଶତ ବଢ଼ିଛି। ଭାରତକୁ ଡାଲି ରପ୍ତାନି କରୁଥିବା ଦେଶ ଯଥା କାନାଡା, ମିଆଁମାର, ମୋଜାମ୍ବିକ୍ ଆଦି ଭାରତର ଡାଲି ଚାଷ ଉପରେ ନଜର ରଖିଛନ୍ତି। ଖରିଫ ଋତୁରେ ଡାଲି ଚାଷରେ ୯ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଉଛି। ସପ୍ତାହକ ଭିତରେ ବିରି ଡାଲି ଦାମ୍ କେଜି ପିଛା ୩ ଟଙ୍କା ବଢ଼ିଥିବା ବେଳେ ହରଡ଼ ଡାଲିର କ୍ବିଣ୍ଟାଲ୍‌ ପିଛା ମୂଲ୍ୟ‌ରେ ୨୦୦-୪୦୦ ଟଙ୍କାର ବୃଦ୍ଧି ଘଟିଛି। ଉଭୟ ବିରି ଓ ହରଡ଼ ଚାଷରେ ଯଥାକ୍ରମେ ୧୪ ଓ ୮ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଉଛି।

Comments are closed.