ତେଜସ୍ଵୀଙ୍କୁ ମିଳିଲାନି ଗୃହ ବିଭାଗ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ସରକାର ଗଠନର ୬ ଦିନ ପରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଶପଥ ସମାରୋହ ସରିବା ପରେ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି। ତେବେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମିଳିନି ଗୃହ ବିଭାଗ। ଆର୍‌ଜେଡିରେ ମନ୍ତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ତେଜସ୍ୱୀଙ୍କୁ ଗୃହ ବିଭାଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ପୂର୍ବରୁ ତେଜସ୍ୱୀ ଯାଦବ ଗୃହ ବିଭାଗ ମିଳିବ ବୋଲି ଆଶା କରିଥିଲେ। ହେଲେ ତାଙ୍କୁ ବିଭାଗ ବଣ୍ଟନରେ ସ୍ୱାସ୍ଥ୍ୟ ବିଭାଗରେ ସନ୍ତୁଷ୍ଟ ହେବାକୁ ପଡିଛି। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ସମେତ ସଡ଼କ ନିର୍ମାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିଛି।

ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହାବ୍ୟତୀତ ସେ ସାଧାରଣ ପ୍ରଶାସନ, ନିର୍ବାଚନ ଏବଂ ବଣ୍ଟନ ହୋଇନଥିବା ଅନ୍ୟ ସମସ୍ତ ବିଭାଗ ନିଜ ପାଖରେ ରଖିଛନ୍ତି। ଅନ୍ୟପଟେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ଜଙ୍ଗଳ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦିଆଯାଇଛି।

Comments are closed.