ଦୀପାବଳି ସହିତ ଜୋଡିତ ରହିଛି ଏହି ସବୁ ପୂଜା ବିଧି

ଏହି ଆଲୋକର ପର୍ବ ଦୀପାବଳି ହେଉଛି ହିନ୍ଦୁ ମାନଙ୍କ ଏକ ଗଣ ପର୍ବ । ଆଉ ଏହି ପର୍ବ ସହିତ ଯୋଡିତ କେତେଟି ପୂଜା ବିଧି ରହିଛି ।  ଏହି ଆଲୋକର ପର୍ବ ସହିତ ଚାରିଟି ପର୍ବ ସନ୍ନିବେଶିତ। ଧନଦା ତ୍ରୟୋଦଶୀ, ନରକ ଚତୁର୍ଦ୍ଦଶୀ, ଦୀପାବଳି ଅମାବାସ୍ୟା ବା କାଳରାତ୍ରୀ ଏବଂ ଗିରି ଗୋବର୍ଦ୍ଧନ ଉତ୍ସବ। ଧନଦା ତ୍ରୟୋଦଶୀ ଉତ୍ତର ଭାରତରେ କଂସାବାସନ ବ୍ୟବସାୟୀମାନଙ୍କର ବଡ଼ ପର୍ବ। ଏହିଦିନ ଦୋକାନ ସଜାଇ ଦୀପ ଜାଳି ମା’ ଲକ୍ଷ୍ମୀଙ୍କୁ ଆବାହନ କରାଯାଏ। ନରକ ଚତୁର୍ଦ୍ଦଶୀରେ ଭଗବାନ ଶ୍ରୀକୃଷ୍ଣ ରାକ୍ଷସ ରାଜକୁ ବଧ କରିବା ସହିତ ଷୋହଳ ଶହ ରାଜଜେମାଙ୍କୁ ବନ୍ଦୀମୁକ୍ତ କରିଥିଲେ। ଏହି ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ସ୍ୱୟଂ ମା’ ମହାକାଳୀ ସହାୟ ହୋଇଥିବା ପୌରାଣିକ ବର୍ଣ୍ଣନା ରହିଛି। ସେଥିପାଇଁ ଦୀପାବଳିରେ କାଳୀପୂଜା ଅନୁଷ୍ଠିତ ହୁଏ। ରାମାୟଣରେ ବର୍ଣ୍ଣିତ ଚଉଦବର୍ଷ ବନବାସ ଏବଂ ରାବଣ ବଧ ପରେ ସୀତାଦେବୀ ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଭଗବାନ ରାମଚନ୍ଦ୍ର ଏହିିଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ।

ଅଯୋଧ୍ୟାବାସୀ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପ୍ରଭୁଙ୍କୁ ଦୀପ ଜାଳି ସ୍ୱାଗତ କରିଥିଲେ। ସେହିଦିନଠାରୁ ଆଲୋକର ମହାପର୍ବଭାବେ ଏହି ଦିବସ ପାଳିତ ହୋଇ ଆସୁଛି। ଅନ୍ୟ ଏକ ପୌରାଣିକ କାହାଣୀ ଅନୁଯାୟୀ ଗୋପୁଳ ରକ୍ଷକ ଶ୍ରୀକୃଷ୍ଣ ଦେବରାଜ ଇନ୍ଦ୍ରଙ୍କ ଗର୍ବଗଞ୍ଜନ କରି ଗୋପପୁରକୁ ରକ୍ଷା କରିଥିଲେ। ଦେବରାଜ ଏଥି ନିମନ୍ତେ ପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଏଣୁ ଦୀପାବଳି ଅବସରରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୁଏ। ସେହିପରି କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପୂର୍ବ ପୁରୁଷଙ୍କୁ ଏହି ଦିନରେ ଆବାହନ କରାଯାଏ। ଶ୍ରୀମନ୍ଦିରର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ମଧ୍ୟ ହୁଏ। ଅନ୍ୟାନ୍ୟ ଅଞ୍ଚଳରେ ଥିବା ଦେବପୀଠ ଓ ଶକ୍ତି ମନ୍ଦିରରେ ମଧ୍ୟ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରାଯାଇ ବଡ଼ବଡ଼ୁଆ ଡକାଯାଇଥାଏ।

ପୟାଶ୍ରାଦ୍ଧ :ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପାବଳିଦିନ ପୟା ଶ୍ରାଦ୍ଧ ଦିଆଯାଏ। ପିତୃପକ୍ଷରେ ବା ମହାଳୟା ତିଥିରେ ପିତୃପୁରୁଷଙ୍କ ଆବହାନ କରି ପିଣ୍ଡଦାନ କରାଯାଇଥାଏ। ସେହିପରି ଦୀପାବଳି ଅବସରରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗକୁ ଯିବା ପାଇଁ ବିଦାୟ ଦିଆଯାଇଥାଏ। ଏଥିପାଇଁ ଦୀପାବଳିରେ ଦୀପ ଓ କାଉଁରିଆ କାଠି ଜାଳି ବଡବଡୁଆଙ୍କ ଆଶୀର୍ବାଦ କାମନା କରାଯାଏ। ଶ୍ରୀମନ୍ଦିରର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇ ବଡବଡୁଆ ଡାକ (ବଡବଡ଼ିଆ ହୋ, ଗଙ୍ଗା ଯାଆ, ଗୟା ଯାଅ, ଅନ୍ଧାରରେ ଆସିଥିଲ, ଆଲୋକରେ ଯାଅ। ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ) ବୋଲାଯାଏ। ଯେଉଁମାନେ ଶ୍ରୀମନ୍ଦିର ଯାଇ ନ ପାରନ୍ତି, ସେମାନ ନିଜ ଘର ଅଗଣା କିମ୍ବା ଅଞ୍ଚଳରେ ଥିବା ଦେବପୀଠ ଓ ଶକ୍ତି ମନ୍ଦିରରେ ମଧ୍ୟ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରି ବଡ଼ବଡୁଆ ଡାକିଥାନ୍ତି ।

Comments are closed.