ମଣିପୁର ହିଂସାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ,, ଓୱେସି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’ ଭଳି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦକ୍ଷିଣ ରାଜ୍ୟରେ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏଭଳି ସ୍ଥିତିରେ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

ମୋଦୀଙ୍କୁ ସମାଲୋଚନା କରି ସେ କହିଛନ୍ତି, ଗୋଟିଏ ପଟେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଯବାନଙ୍କୁ ହତ୍ୟା କରୁଛନ୍ତି, ମଣିପୁର ହିଂସାର ନିଆଁରେ ଜଳୁଛି ଏବଂ ଆମ ଦେଶର ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଗୋଟିଏପଟେ ପାକିସ୍ତାନରୁ ଆତଙ୍କବାଦୀ ଆସି ଆମର ୫ ଜଣ ଯବାନଙ୍କୁ ହତ୍ୟା କରୁଛନ୍ତି, ସେପଟେ ମଣିପୁର ଜଳୁଛି, ଲୋକମାନେ ଘରୁ ପଳାଉଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନରେ ଏକ ବାଜେ ଚଳଚ୍ଚିତ୍ର (ଦି କେରଳ ଷ୍ଟୋରୀ)କୁ ପ୍ରମୋଟ କରୁଛନ୍ତି ।

ଏଆଇଏମଆଇଏମ୍ ମୁଖ୍ୟ ଆହୁରି କହିଛନ୍ତି, ଏହା ଏକ ମିଛ ଚଳଚ୍ଚିତ୍ର। ସେମାନେ କେବଳ ଆମର ବୁର୍ଖା ଦେଖାଇ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ଏହି ଘୃଣାର ପ୍ରସାର କରୁଛନ୍ତି । କେବଳ ନିର୍ବାଚନ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ଏତେ ତଳକୁ ଖସି ଯାଇଛନ୍ତି । କେବଳ ଭାଷଣ ଦିଅନ୍ତୁ ନାହିଁ ଏବଂ ଆମ ସୈନିକଙ୍କୁ ମରିବାରୁ ଅଟକାନ୍ତୁ ବୋଲି ସେ କହିଛନ୍ତି ।

Comments are closed.