ନନ୍ଦନକାନନରେ ତାରିଣୀ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନ ଚିକିତ୍ସାଳୟରେ ଚିକିତ୍ସାଧୀନ ୮ ବର୍ଷର ମାଈ ଦେଶୀ ଭାଲୁ ତାରିଣୀର ମୃତ୍ୟୁ ଘଟିଛି । ବୁଧବାର ସକାଳେ ତାରିଣୀ ପ୍ରାଣୀ ଚିକିତ୍ସାଳୟରେ ଅଚେତ ହୋଇପଡ଼ିଥିବା ଜନ୍ତୁ ରକ୍ଷକ ଦେଖି ଚିକିତ୍ସକଙ୍କୁ ଖବର ଦେଇଥିଲେ । ପ୍ରାଣୀ ଚିକିତ୍ସକ ଭାଲୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତା’ର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି । ଭାଲୁମାନେ ପ୍ରାୟତଃ ଯକ୍ଷ୍ମାରୋଗରେ ପଡ଼ି ମୃତ୍ୟୁବରଣ କରିଥାନ୍ତି । ତାରିଣୀ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ଭାଲୁ ତାରିଣୀର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ଭାଲୁ ସଂଖ୍ୟା ୨୮କୁ ଖସିଆସିଛି । ସେଥିରୁ ୧୬ଟି ଦେଶୀ ଓ ୧୨ଟି ହିମାଳୟ ଭାଲୁ ।

୨୦୧୫ ମସିହାରେ ତାରିଣୀ ଛୋଟ ଥିବାବେଳେ ବଲାଙ୍ଗୀର ବନବିଭାଗ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଣିଥିଲେ । ପ୍ରାଣୀ ଚିକିତ୍ସାଳୟର ଶିଶୁ ଯତ୍ନ କେନ୍ଦ୍ରରେ ରହି ବଡ଼ ହେବା ପରେ ତାକୁ ଭାଲୁ ସଫାରୀରେ ଛଡ଼ାଯାଇଥିଲା । ୧୫ ଦିନ ତଳେ ତାରିଣୀ ଅସୁସ୍ଥ ହେବାରୁ ପ୍ରାଣୀ ଚିକିତ୍ସାଳୟର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।

Comments are closed.