ନଡ଼ା ପୋଡ଼ିକୁ ନେଇ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷେଧାଦେଶ ସତ୍ତ୍ୱେ ଚାଷଜମିରେ ନିଆଁ ଲଗାଉଥିବା କୃଷକମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଶୀତଦିନେ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣର ପ୍ରମୁଖ ଉତ୍ସ ପାଲଟିଥିବା ନଡ଼ା ଜାଳିବା ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଦରକାର। ଜଷ୍ଟିସ ସଞ୍ଜୟ କିଷନ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମାଜର କୌଣସି ବର୍ଗ କହିପାରିବେ ନାହିଁ ଯେ ଆମେ ଲୋକଙ୍କ ସ୍ୱାସ୍ଥ୍ୟକୁ ମୂଲ୍ୟ ଦେଇ ଯାହା ଇଚ୍ଛା ତାହା କରିବୁ।

ସେମାନେ ନିଆଁ ଲଗାଇ ପାରିବେ ନାହିଁ। ଏହା ପିଲା ଓ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ଜାଣି ସୁଦ୍ଧା କିଛି ଅଧିକ ଟଙ୍କା ଅର୍ଜନ କରିବା ଲୋଭରେ ସେମାନେ (କୃଷକମାନେ) କୌଣସି ପ୍ରକାରେ ସମ୍ବେଦନଶୀଳତା ଦେଖାଉନାହାନ୍ତି। ଅଦାଲତ କହିଛନ୍ତି ଯେ, ନଡ଼ା ପୋଡ଼ି ଅଧିକ ରୋଜଗାର କରିବାକୁ ଚେଷ୍ଟା କରୁଥିବା କୃଷକମାନେ ସମସ୍ତ ପ୍ରୋତ୍ସାହନରୁ ବଞ୍ଚିତ ହେବା ଉଚିତ। ଗତ ନଭେମ୍ବର ୧୦ ତାରିଖରେ ହୋଇଥିବା ଶୁଣାଣି ସମୟରେ ଅଦାଲତ କେନ୍ଦ୍ର ଓ ଜାତୀୟ ରାଜଧାନୀ ନିକଟବର୍ତ୍ତୀ ରାଜ୍ୟର ସରକାରଙ୍କୁ ଚାଷଜମିରେ ନିଆଁକୁ ରୋକିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ ଏବଂ କହିଥିଲେ ଯେ ନଡ଼ା ପୋଡ଼ିବା ଘଟଣାକୁ ରୋକିବା ପାଇଁ ପ୍ରୋତ୍ସାହନ ଓ ଜରିମାନା ମଧ୍ୟରେ ସନ୍ତୁଳନ ଲାଗି ‘ଗାଜର ଓ ଷ୍ଟିକ୍ ନୀତି’ ଆଭିମୁଖ୍ୟ ଜରୁରୀ।

Comments are closed.