ଆଦାନୀ ମାମଲାରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟର ବିଶ୍ୱସନୀୟତା ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ତିନିଜଣିଆ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି।
ନିୟନ୍ତ୍ରକ ସେବି ପକ୍ଷରୁ କରାଯାଇଥିବା ତଦନ୍ତର ବିଶ୍ୱସନୀୟତା ଉପରେ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ପ୍ରଶ୍ନ ଉଠାଇବା ପରେ ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ଆମ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ସେବିର ତଦନ୍ତକୁ ସନ୍ଦେହ କରିବା ଭଳି ପ୍ରମାଣ କାହିଁ। ସେବି ହେଉଛି ଏକ ସାମ୍ବିଧାନିକ ସଂସ୍ଥା, ଯାହାକି ଷ୍ଟକ୍‌ ମାର୍କେଟ ନିୟମ ଉଲ୍ଲଂଘନର ତଦନ୍ତ କରିଥାଏ। ବିନା ପ୍ରମାଣରେ ସର୍ବୋଚ୍ଚ ଅଦାଲତ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)ର ପୁନର୍ଗଠନ କରିବା ଯୁକ୍ତିଯୁକ୍ତ କି ବୋଲି ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ବେଳେ ସେବି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ କହିଥିଲେ, ୨୪ରୁ ୨୨ଟି ଅଭିଯୋଗର ତଦନ୍ତ ଶେଷ ହୋଇଥିବାରୁ ବଜାର ନିୟନ୍ତ୍ରକ ଆଉ ଅଧିକ ସମୟ ମାଗୁନାହିଁ। ଅବଶିଷ୍ଟ ୨ ମାମଲାରେ ଅନ୍ତରୀଣ ରିପୋର୍ଟ ଦାଖଲ କରାଯାଇଛି। ବିଦେଶୀ ଏଜେନ୍ସିଗୁଡ଼ିକଠାରୁ ସେବି ଏହା ଉପରେ ତଥ୍ୟ ମାଗିଛି। ଖଣ୍ଡପୀଠ ଏହା ଶୁଣିବା ପରେ ଭବିଷ୍ୟତରେ ନିବେଶକଙ୍କ କ୍ଷତି ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଓ ସେବି ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ।

Comments are closed.