ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇପାରିବ ନାହିଁ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ”ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”ର କାରଣ ପାଲଟିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ପଡୋଶୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ଫସଲ ଅବଶିଷ୍ଟାଂଶ ପୋଡିଯିବା ପ୍ରତ୍ୟେକ ବର୍ଷ ଶୀତ ଦିନେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ବୃଦ୍ଧି ପାଇବାରେ ଏକ ପ୍ରମୁଖ କାରଣ ଅଟେ।

ନଡ଼ା ଜଳିବା ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ପଞ୍ଜାବ ସରକାରଙ୍କୁ କଡ଼ା ଭାଷାରେ କୋର୍ଟ କହିଛନ୍ତି। ପଞ୍ଜାବ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଓକିଲଙ୍କୁ କୋର୍ଟ କହିଛନ୍ତି ଯେ “ଆମେ ଏହା ବନ୍ଦ କରିବାକୁ ଚାହୁଁଛୁ। ଆପଣ ଏହା କିପରି କରୁଛନ୍ତି ତାହା ଆମେ ଜାଣି ନାହୁଁ, ଏହା ଆପଣଙ୍କର କାମ। କିନ୍ତୁ ଏହାକୁ ବନ୍ଦ କରିବାକୁ ହେବ। ତୁରନ୍ତ କିଛି କରିବାକୁ ପଡିବ।”

ଆସନ୍ତା ଶୁକ୍ରବାର ଦିନ ଏହି ମାମଲାର ପରବର୍ତୀ ଶୁଣାଣି ହେବ। ସେହିଭଳି ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅନ୍ୟ ଏକ ପ୍ରମୁଖ ଦିଗ ଯାନବାହାନ ଧୂଆଁ ନିର୍ଗମନ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ସରକାରଙ୍କୁ କୋର୍ଟ କହିଛନ୍ତି।

Comments are closed.