ଆଜି ସ୍ନାନଯାତ୍ରା, ଉତ୍ସବମୁଖର ପୁରୀ
ପୁରୀ : ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେବ ସ୍ନାନଯାତ୍ରା। ସ୍ନାନବେଦୀରେ ସ୍ନାନ କରି ମଙ୍ଗଳବାର ହାତୀବେଶରେ ଦର୍ଶନ ଦେବେ ଦାରୁଦିଅଁ। ଏଥିପାଇଁ ସଅଳ ନୀତିକାନ୍ତି ନିର୍ଘଣ୍ଟ ହୋଇଛି। ରତ୍ନ ସିଂହାସନରେ ଚାରମାଳ ବନ୍ଧା ସହ ଶ୍ରୀଅଙ୍ଗରେ ସେନାପଟା ଓ ବାହୁଟ କଣ୍ଟ ନୀତି ଦଇତାପତି ସେବାୟତଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ମଙ୍ଗଳବାର ଭୋର ୩ଟା ୩୦ରେ ମଙ୍ଗଳାର୍ପଣ କରାଯାଇ ୪ଟା ସୁଦ୍ଧା ପହଣ୍ଡି ଆରମ୍ଭ ହେବ। ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷ ହେବ। ଏହାପରେ ବିଭିନ୍ନ ରୀତିନୀତି ସମ୍ପନ୍ନ ହୋଇ ପୂର୍ବାହ୍ନ ୯ଟା ୩୦ରେ ଜଳବିଜେ ଓ ପୂଜା, ସ୍ନାନ ଇତ୍ୟାଦି ସମ୍ପାଦନ ହେବ। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରାପହଁରା ଏବଂ ଗଜାନନ ବେଶ ମଧ୍ୟାହ୍ନ ୧୨ଟା ୪୫ରୁ ଅପରାହ୍ନ ୨ଟା ୩୦ରେ ସମ୍ପନ୍ନ ହେବ। ସାହାଣମେଲା ଦର୍ଶନ ସନ୍ଧ୍ୟା ୬ରୁ ରାତ୍ର ୯ଟା ୩୦ ପର୍ଯ୍ୟନ୍ତ ଚାଲିବ। ୧୦ଟାରୁ ରାତି ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ସରିବା ପରେ ୧ଟା ୩୦ରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବ।
ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଶେଷ କରିବା ପାଇଁ ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି। ବିଗ୍ରହଙ୍କୁ କେହି ସ୍ପର୍ଶ କରିବେ ନାହିଁ। ହାତୀବେଶକୁ ସୁରକ୍ଷିତ ରଖାଯିବ ଓ ଯତ୍ନରେ ଓଲାଗି କରାଯିବ। ସେବାୟତମାନେ ହାତୀବେଶରୁ ଫୁଲ ନେଇପାରିବେ ନାହିଁ। ଭକ୍ତଙ୍କ ଦର୍ଶନ ନ ସରିବା ପର୍ଯ୍ୟନ୍ତ ବେଶ ସୁରକ୍ଷିତ ରହିବ। ବେଶକୁ ଶ୍ରୀମନ୍ଦିର ଅଫିସ୍ରେ ସୁରକ୍ଷିତ ଭାବେ ରଖାଯିବ। ଭକ୍ତମାନେ ସ୍ନାନବେଦୀର ଗୋଟିଏ ପଟେ ଉଠି ଅପରପାର୍ଶ୍ୱରେ ଓହ୍ଲାଇବେ। ଆନନ୍ଦବଜାରରେ ମହାପ୍ରସାଦର ବ୍ୟବସ୍ଥା ହୋଇଛି। ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ଆଇନଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା, ଗମନାଗମନ ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ଦିଗକୁ ଆହ୍ବାନ ଭାବେ ଗ୍ରହଣ କରିଛି ପୋଲିସ।
Comments are closed.